ଅର୍ଚ୍ଚନା ନାଗ ମାମଲା, ଶୁଣାଣି ଶେଷ ରାୟ ସଂରକ୍ଷିତ

29

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ହନିଟ୍ରାପ୍ ଓ ବ୍ଲାକମେଲିଂ ମାମଲାରେ ଛନ୍ଦି ହୋଇଥିବା ଅର୍ଚ୍ଚନା ନାଗ ବୁଧବାର କୋର୍ଟରେ ହାଜର ହୋଇଥିଲେ । ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଥିଲା । ଖଣ୍ଡଗିରି ଥାନା ମାମଲା ସହ ନୟାପଲ୍ଲୀ ଥାନାରେ ହୋଇଥିବା ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ବ୍ଲାକ୍‌ମେଲିଂ ମାମଲାରେ ତାଙ୍କୁ ହାଜର କରାଯାଇଥିଲା । ଏହି ଦୁଇ ମାମଲାରେ ଅର୍ଚ୍ଚନାଙ୍କ ପକ୍ଷରୁ ତାଙ୍କ ଓକିଲ ଜାମିନ ଆବେଦନ କରିଥିଲେ । କୋର୍ଟ ଜାମିନ ଆବେଦନକୁ ଗ୍ରହଣ କରି ଏହାର ଶୁଣାଣି କରିଥିଲେ । ରାୟ ସଂରକ୍ଷିତ ରହିଛି । ଏହାପରେ ଅର୍ଚ୍ଚନାଙ୍କୁ ଝାରପଡ଼ା ଜେଲ୍‌କୁ ପଠାଇ ଦିଆଯାଇଛି । ପ୍ରଯୋଜକଙ୍କୁ ବ୍ଲାକ୍ ମେଲିଂ ମାମଲାରେ ତାଙ୍କ ବିରୋଧରେ ଦଫା ୩୮୪,୩୮୫,୧୨୦-ବି,୫୦୬ ଏବଂ ୬୭ ଆଇଟି ଆଇଟି ଆକ୍ଟ ଲଗାଯାଇଛି । ସୂଚନାଯୋଗ୍ୟ ଅର୍ଚ୍ଚନାଙ୍କୁ ଚଳିତ ମାସ ୬ ତାରିଖରେ ଖଣ୍ଡଗିରି ଥାନା ପୋଲିସ ପକ୍ଷରୁ ଗିରଫ କରାଯାଇଥିଲା । ପ୍ରାୟ ୨୦ ଦିନ ଧରି ସେ ଝାରପଡା ଜେଲରେ ରହିବା ପରେ ଆଜି କୋର୍ଟ ହାଜର ହେବା ଲାଗି ତାଙ୍କୁ ବାହାରକୁ ଅଣାଯାଇଥିଲା । ଅର୍ଚ୍ଚନାଙ୍କୁ ଦେଖିବାକୁ କୋର୍ଟ ପରିସରରେ ପ୍ରବଳ ଭିଡ ଲାଗିଥିଲା । ପୂର୍ବରୁ ତାଙ୍କୁ ଭିଡିଓ କନଫରେନ୍‌ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା ବେଳେ ଏଥର କିନ୍ତୁ ଅର୍ଚ୍ଚନାଙ୍କୁ ସିଧାସଳଖ କୋର୍ଟରେ ହାଜର କରାଯାଇଛି । କଡା ସୁରକ୍ଷା ଦୃଷ୍ଟିରୁ ଅର୍ଚ୍ଚନା ଅସିଥିବା ଭ୍ୟାନକୁ ଢଙ୍କା ଯାଇଥିଲା । ତେବେ ଅର୍ଚ୍ଚନା ଭ୍ୟାନରୁ ବାହାରକୁ ଆସି ଗଣମାଧ୍ୟମ ପଶ୍ନର ଉତ୍ତରରେ କହିଥିଲେ “ମୁଁ ସୁବୁ କହିବି । ତଦନ୍ତ ହେବା ପରେ ସବୁ ସ୍ପଷ୍ଟ ହେବ” । ହେଲେ ଗଣମାଧ୍ୟମର ଅନ୍ୟ କୌଣସି ପ୍ରଶ୍ନର ଉତ୍ତର ଦେଇ ନ ଥିଲେ । ଆଉ କାହା ସାଙ୍ଗରେ ତାଙ୍କର ଲିଙ୍କ ରହିଛି । ଆଉ କିଏ କିଏ ଏଥିରେ ସାମିଲ ଅଛନ୍ତି । ତାଙ୍କ ପାଖରେ ଏତେ ଟଙ୍କା କେଉଁଠୁ ଆସିଥିଲା । ଏପରିକି ବ୍ଲାକମେଲିଂ ସମ୍ପର୍କରେ ସେ କିଛି ବି ମୁହଁ ଖୋଲି ନ ଥିଲେ । ଓଲଟା ଗଣମାଧ୍ୟମକୁ ଟାର୍ଗେଟ କରିଥିଲେ ଅର୍ଚ୍ଚନା । ତାଙ୍କ ବିରୋଧରେ ଖବର ପ୍ରସାରଣକୁ ନେଇ ସେ ଆପତ୍ତି ଉଠାଇଥିଲେ । ତାଙ୍କ କହିବା ଅନୁଯାୟୀ ଗଣମାଧ୍ୟମର ତାଙ୍କ ବିରୋଧରେ ମିଛ ଖବର ପ୍ରଶାରଣ ହେଉଛି । ତଦନ୍ତ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷ କରିବା ଆବଶ୍ୟକ । ଏହି ଦୁଇ ବାକ୍ୟକୁ ସେ ବାରମ୍ବାର ଦୋହରାଇଥିଲେ ।

Comments are closed, but trackbacks and pingbacks are open.