ଅର୍ଚ୍ଚନା ହନିଟ୍ରାପ୍ ମାମଲା: ଇଡ଼ି କବ୍ଚାରେ ଖଗେଶ୍ୱର, ୧୦ ଦିନିଆ ରିମାଣ୍ଡ ମଞ୍ଜୁରୀ

27

ଭୁବନେଶ୍ୱର: ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ ଗଲା ଆଉ ଏକ ମୁଣ୍ଡ । ଦୀର୍ଘ ୨୨ ଘଣ୍ଟା ଜେରା ପରେ ଗିରଫ ହେଲେ ଅର୍ଚ୍ଚନାଙ୍କ ଖାସ୍ ତଥା ବିଜ୍‌ନେସ୍ ପାର୍ଟ୍‌ନର ଖଗେଶ୍ୱର ପାତ୍ର । ମନି ଲଣ୍ଡ୍ରିଂ ମାମଲାରେ ଖଗେଶ୍ୱରଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥା ଇଡ଼ି । ଖଗେଜଶ୍ୱରଙ୍କୁ ମିଶାଇ ଏହି ମାମଲାରେ ଏପର୍ଯ୍ୟନ୍ତ ମୋଟ୍ ୩ ଜଣଙ୍କୁ ଗିରଫ କରାଗଲାଣି । ପୂର୍ବରୁ ପୁଲିସ୍ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ହନିଟ୍ରାପ୍ ଏବଂ ବ୍ଲାକ୍ ମେଲିଂ ମାମଲାରେ ଗିରଫ କରିଥିଲା । ଏବେ ଇଡିର ପାଳି । ପୁଲିସ ଖଗେଶ୍ୱରକୁ ହାତମାରି ପାରୁ ନ ଥିଲା ବେଳେ ପ୍ରଥମ ‘ଆକ୍ସନ ଡେ’ରେ ଖଗେଶ୍ୱର ବଳି ପଡିବା ଚାଞ୍ଚଲ୍ୟ ସୃଷ୍ଟିକରିଛି । ଏହାପରେ ଏବେ ଗିରଫଦାରୀ ସଂଖ୍ୟା ବଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପକ୍ଷରେ ଇଡି ଖୋଳିପାରେ ଅର୍ଚ୍ଚନାଙ୍କ ଟଙ୍କାର ସିନ୍ଧୁକ । କାରଣ ଟଙ୍କା କାରବାର ଲିଙ୍କ୍‌ରେ ଇଡି କବ୍ଚାରେ ଏବେ ବିଜ୍‌ନେସ୍ ପାର୍ଟ୍‌ନର ଖଗେଶ୍ୱର ପାତ୍ର । ଗିରଫ ପରେ କୋର୍ଟରେ ହାଜର କଲା ବେଳେ ଇଡି଼ ପକ୍ଷରୁ ୧୫ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିଲା । ଇଡ଼ିକୁ କୋର୍ଟ ମାତ୍ର ୧୦ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତିି । ରିମାଣ୍ଡ ମିଳିବା ପରେ ତାଙ୍କୁ ସିଧାସଳଖ ଇଡ଼ି କାର୍ଯ୍ୟାଳୟକୁ ନିଆଯାଇଛି । ୧୦ ଦିନ ପର୍ଯ୍ୟନ୍ତ ଇଡ଼ି କର୍ମଚାରୀଙ୍କ ପ୍ରଶ୍ନବାଣର ଶିକାର ହେବେ ଖଗେଶ୍ୱର । ଏଠି ଆଉ ବଞ୍ଚିବାର ବାଟ ନାହିଁ । ଟଙ୍କା କାରବାର ଲିଙ୍କରେ ପଚରାଯିବ ଗୋଟି ଗୋଟି ପ୍ରଶ୍ନ । ସେମାନେ କିଭଳି ରାତାରାତି କୋଟି ପତି ହେଲେ । ସ୍ୱଳ୍ପ ସମୟ ମଧ୍ୟରେ ଏତେ ଗୁଡିଏ ଟଙ୍କା କେଉଁଠୁ ଆସିଲା । କିଏ ଦେଲା । ଟଙ୍କାର ଅଛି କି କୌଣସି ହାୱାଲା ଲିଙ୍କ୍ । ଏ ସବୁ ବିଷୟରେ ଖୋଳତାଡ଼ କରାଯିବ । ଗତକାଲି ଇଡ଼ି ପକ୍ଷରୁ ହୋଇଥିବା ରେଡ଼ ସମୟରେ ଇଡ଼ି ହାତରେ ଲାଗିଥିଲା କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର । ବିଶ୍ୱସ୍ଥ ସୂଚନା ଅନୁଯାୟୀ ଇଡ଼ି ସ୍କାନରରେ ଏବେ ଖାଗେଶ୍ୱରଙ୍କ ୧୨ ବ୍ୟାଙ୍କ ଆକାଉଣ୍ଟ ରହିଛି । ଏଥି ମଧ୍ୟରୁ ପ୍ରାୟ ୫ଟି ଆକାଉଣ୍ଟରେ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା କାରବାର ହୋଇଥିବା ଜଣାପଡିଛି । ଏସବୁ ପ୍ରମାଣକୁ ଅଧାର କରି ତାଙ୍କୁ ଇଡ଼ି ପଚରାଉଚରା କରିପାରେ । ଟଙ୍କା ଟ୍ରାଞ୍ଜାକ୍ସନର ଲିଙ୍କ ରାଜ୍ୟ ବାହାର ପର୍ଯ୍ୟନ୍ତ ଲମ୍ବିଛି ବୋଲି ଜଣାପଡିଛି । ଏଥିରେ ବହୁ ଲୋକଙ୍କ ସମ୍ପୃକ୍ତି ଥିବା ଅନୁମାନ କରାଯାଉଛି । ସେପଟେ ଜବତ ହୋଇଥିବା ମୋବାଇଲ ଏବଂ କମ୍ପ୍ୟୁଟରକୁ ଖଙ୍ଗାଳୁଛନ୍ତି ଇଡ଼ି ଅଧିକାରୀ । ସୂଚନାଯୋଗ୍ୟ ଗତକାଲି ଏକକାଳୀନ ୬ଟି ସ୍ଥାନରେ ଇଡ଼ିି ପକ୍ଷରୁ ରେଡ଼୍ କରାଯାଇଥିଲା । ଏକ ଦାମୀ କାର ମଧ୍ୟ ଜବତ କରାଯାଇଥିଲା । ଖଗେଶ୍ୱରଙ୍କ ବାଲିପାଟଣାସ୍ଥିତ ଘର, ତାଙ୍କ ରସୁଲଗଡ଼ ସ୍ଥିତ କାର ଶୋରୁମ୍‌ରେ ଚଢ଼ାଉ କରାଯାଇଥିଲା । ବାଲିପାଟଣାସ୍ଥିତ ଘରେ ପ୍ରଥମେ ଖଗେଶ୍ୱରଙ୍କୁ ପଚରାଉଚରା କରାଯାଇଥିଲା । ତେବେ ଇଡି ଅଧିକାରୀଙ୍କ ପ୍ରଶ୍ନର ସଠିକ ଜବାବ ଦେଇ ନ ପାରିବାରୁ ଖଗେଶ୍ୱରଙ୍କୁ ଇଡ଼ି କାର୍ଯ୍ୟାଳୟକୁ ଅଣାଯାଇ ମାରାଥନ ଜେରା କରାଯାଇ ଶେଷରେ ତାଙ୍କ ବିରୋଧରେ ପ୍ରମାଣ ମିଳିବାରୁ ତାଙ୍କୁ ଗିରଫ କରାଯାଇଛି ।

Comments are closed, but trackbacks and pingbacks are open.