ଇଡିରେ ଅର୍ଚ୍ଚନା ମାମଲା: ଶ୍ରଦ୍ଧାଞ୍ଜଳି ସହ ମୁହାଁମୁହିଁ ଜେରା

41

ର୍ଚ୍ଚନା ହନିଟ୍ରାପ୍ ମାମଲାରେ ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଚଳି ବେହେରା ଓରଫ ଶ୍ରଦ୍ଧା । ଶ୍ରଦ୍ଧାଞ୍ଜଳି ଇଡିରେ ତୃତୀୟ ଥର ପାଇଁ ହାଜର ହୋଇଛନ୍ତି । ଶ୍ରଦ୍ଧାଞ୍ଜଳି, ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ ଏବଂ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଆଜି ଇଡି କାର୍ଯ୍ୟାଳୟରେ ମୁହାଁମୁହିଁ ଜେରା କରାଯାଇଛି । ଇଡି ତଦନ୍ତରେ ସାମିଲ ଥିବା ସମସ୍ତ ଅଧିକାରୀ ଆଜିର ଜେରାବେଳେ ଉପସ୍ଥିତଥିଲେ । ଇଡି ଅଧିକାରୀମାନେ ବ୍ଲାକ୍‌ମେଲିଂ ସହ ସମ୍ପୃକ୍ତ ସମସ୍ତ ଖଳନାୟକଙ୍କୁ ଗୋଟିଏ ଟେବୁଲରେ ବସାଇ ଦେଇଥିଲେ । ବ୍ଲାକମେଲିଂ ଏବଂ ହନିଟ୍ରାପ୍ ସମ୍ପର୍କରେ ପ୍ରଶ୍ନ ଉପରେ ପଶ୍ନ ପଚାରି ଚାଲିଲେ । ଯେପରିକି ସେମାନେ କେଉଁଠି ହନିଟ୍ରାପ୍ କରିଛନ୍ତି, କେତେ ଜଣଙ୍କୁ ବ୍ଲାକ୍‌ମେଲିଂ କରିଛନ୍ତି, କାହା ସହ ସମ୍ପର୍କ ରଖିଛନ୍ତି, କାହା ଠାରୁ କେତେ ଟଙ୍କା ଆଣିଥିଲେ, ନୟାଗଡ଼ର ବ୍ୟବସାୟୀ କିଏ, ଯାହଙ୍କ ପାଇଁ ଅର୍ଚ୍ଚନା ଏବଂ ଶ୍ରଦ୍ଧାଙ୍କ ମଧ୍ୟରେ ତିକ୍ତତା ହେଲା, ତାଙ୍କ ଠାରୁ ଏମାନେ କେତେଟଙ୍କା ଆଣିଛନ୍ତି, ଅକ୍ଷୟ ଏବଂ ପ୍ରମୋଦଙ୍କୁ କେମିତି ଟ୍ରାପ୍ କଲେ ଇତ୍ୟାଦି । ସେହିପରି ଅର୍ଚ୍ଚନା ଡାଏରୀରେ ଲେଖାଯାଇଥିବା ତଥ୍ୟକୁ ଆଧାର କରି କ୍ରାଇମ୍ ସିଣ୍ଡିକେଟ୍‌ର ୩ ମୁଖ୍ୟ ସଦସ୍ୟଙ୍କୁ ଅନେକ ଗୁଡିଏ ପ୍ରଶ୍ନ ପଚରା ଯାଇଥିଲା । ଜେରା ପରେ ଇଡିକୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ଜଣାପଡିଛି । ଏହା ପରେ ଇଡି ଅଧିକାରୀମାନେ ସମସ୍ତଙ୍କୁ ଅଲଗା ଅଲଗା ଜେରା କରିଥିଲେ । ବ୍ଲାକ୍‌ମେଲିଂ ମାମଲାର ଗୁମର ଖୋଲିବାକୁ ଇଡି ଅଧିକାରୀମାନେ ଦିନତମାମ କସରତ କରିଥିଲେ । ଅନ୍ୟପକ୍ଷରେ ଇଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳିଙ୍କୁ ଦେଖି ଅର୍ଚ୍ଚନାଙ୍କ ହୋସ୍ ଉଡ଼ି ଯାଇଥିଲା । ଶ୍ରଦ୍ଧାଙ୍କ ଉପରେ ସେ ଯେତିକି ରାଗୁ ଥିଲେ, ତାଙ୍କୁ ଇଡି କାର୍ଯ୍ୟାଳୟରେ ଦେଖି ସେତିକି ଭୟ ମଧ୍ୟ କରୁଥିଲେ । ଜେରା ଆରମ୍ଭରୁ ହିଁ ସେ ନର୍ଭସ ଜଣାପଡୁଥିଲେ । ଶ୍ରଦ୍ଧା କାଳେ ବ୍ଲାକ୍‌ମେଲିଂ ମାମଲାର ଗୁମର ଖୋଲିଦେବେ ଏବଂ କ୍ରାଇମ୍ ସିଣ୍ଡିକେଟ୍‌ର ସମ୍ପର୍କରେ ଇଡିକୁ କହିଦେବେ ସେଥିପାଇଁ ଅର୍ଚ୍ଚନା ଭୟଭୀତ ହୋଇପଡ଼ିଥିଲେ । ଜେରାକୁ ଏଡ଼ାଇବାକୁ ବାହାନା ପରେ ବାହାନା କରୁଥିଲେ । ଜେରା ଚାଲିଥିଲା ବେଳେ ଅଚାନକ ଇଡି ଅଧିକାରୀଙ୍କୁ ପାଣି ମାଗିଥିଲେ । ଅସୁସ୍ଥ ହେବାର ବାହାନା କରିଥିଲେ । ଶ୍ରଦ୍ଧାଙ୍କ ସହ ସାମ୍ନା ସାମ୍ନୀ ଜେରା ନ ହେବାକୁ ବହୁ ଚେଷ୍ଟା କରି ଅର୍ଚ୍ଚନା ଶେଷରେ ବିଫଳ ହୋଇଥିଲେ । ଦୀର୍ଘ ଦିନ ଧରି ଚୁପ୍ ଥିବା ଅର୍ଚ୍ଚନା ଶ୍ରଦ୍ଧାଞ୍ଜଳିଙ୍କୁ ଦେଖି ମୁହଁ ଖୋଲିଥିବା ନେଇ ଇଡି ସୂତ୍ରରୁ ଖବର ମିଳିଛି ।
ସୂଚନାଯୋଗ୍ୟ ଶ୍ରଦ୍ଧା ଏବଂ ଅର୍ଚ୍ଚନା ଖଣ୍ଡଗିରିରେ ସିନେ ପ୍ରଯୋଜକ ପ୍ରମୋଦ ସ୍ୱାଇଁଙ୍କ ଘରେ ଭଡ଼ା ରହୁଥିଲେ । ଏହି ଠାରୁ ହିଁ ଆରମ୍ଭ ହୋଇଥିଲା ବ୍ଲାକ୍‌ମେଲିଂର ମାଷ୍ଟରପ୍ଲାନ୍ । ଟାର୍ଗେଟରେ ଥିଲେ ଘର ମାଲିକ ତଥା ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ପ୍ରମୋଦଙ୍କୁ ବ୍ଲାକ୍‌ମେଲିଂ କରାଯାଇଥିଲା ବୋଲି ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ଖଣ୍ଡଗିରିରେ ମିଶନ୍ ବ୍ଲାକ୍‌ମେଲିଂ ଶେଷ ହେଲା ପରେ ବଡ଼ଧରଣର ବ୍ଲାକ୍‌ମେଲିଂ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା । ଫସୁଥିଲେ ଗୋଟିଏ ପରେ ଗୋଟିଏ ବଡ଼ବଡ଼ିଆ । ଟଙ୍କା ଗଣୁଥିଲେ । ଯିଏ ଟଙ୍କା ଦେବାକୁ ମନା କଲା ତା ବିରୋଧରେ ଥାନାରେ ଅଭିଯୋଗ କରିବେ ବୋଲି କହି ଏମାନେ ନାଲିଆଖି ଦେଖାଉଥିଲେ । ରାଜନେତା, ଚଳଚିତ୍ର ଜଗତ ସହ ଜଡିତ ବ୍ୟକ୍ତି, ବ୍ୟବସାୟୀଙ୍କ ନାମରେ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିଲା । ହେଲେ ଅକ୍ଷୟ ପରିଜା ମାମଲା ସାମ୍ନାକୁ ଅସିବା ପରେ ଅଚାନକ ଶ୍ରଦ୍ଧା, ନାଗ-ଚାନ୍ଦ ଦମ୍ପତିଙ୍କ ହାତ ଛାଡି ଦେଇଥିଲେ । ତାଙ୍କୁ ଅର୍ଚ୍ଚନା ନିଶା ଦେଇ ତାଙ୍କ ଅଶ୍ଲିଳ ଫଟୋ ଉଠାଇ ବ୍ଲାକ୍‌ମେଲିଂ ଗ୍ୟାଙ୍ଗରେ ବଳପୂର୍ବକୁ ସାମିଲ କରିଛନ୍ତି ବୋଲି ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ଅର୍ଚ୍ଚନା ଏବଂ ଜଗବନ୍ଧୁଙ୍କୁ ପୁଲିସ ଗିରଫ କରିଥିଲା । ଅର୍ଚ୍ଚନା ଜେଲ ଯିବା ପରେ ଆଜି ଇଡି କାର୍ଯ୍ୟାଳୟରେ ଶ୍ରଦ୍ଧାଞ୍ଜଳିଙ୍କ ସହ ତାଙ୍କର ପ୍ରଥମ ଭେଟଘାଟ ହୋଇଛି । ଅନ୍ୟ ପକ୍ଷରେ ଇଡି ଅଧକାରୀମାନଙ୍କ ନଜରରେ ଏବେ ଅର୍ଚ୍ଚନାଙ୍କ ସୁନା । ଏହି ସୁନା ବ୍ଲାକ୍‌ମେଲିଂ ଟଙ୍କାରେ କିଣାଯାଇଛି ବୋଲି ଇଡି ଅନୁମାନ କରୁଛି । ଏପରିକି ବ୍ଲାକ୍‌ମେଲିଂରୁ ବଞ୍ଚିବା ପାଇଁ କିଛି ବଡ଼ବଡ଼ିଆ ତାଙ୍କୁ ସୂନା ଉପହାର ଦେଇଛନ୍ତି ବୋଲି ଇଡି ଯାଣିବାକୁ ପାଇଛି । ଏହି ଲିଙ୍କରେ ରାଜଧାନୀର ଏକ ପ୍ରତିଷ୍ଠାତ ସୁନା ବ୍ୟବସାୟୀଙ୍କୁ ସମନ କରାଯାଇଥିଲା । ତାଙ୍କ ସୁନା ଦୋକାନର ଜଣେ କର୍ମଚାରୀ ହାଜର ହୋଇ ସୁନା କିଣା ସମ୍ପର୍କିତ ତଥ୍ୟ ଇଡି ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି ।

Comments are closed, but trackbacks and pingbacks are open.