ଅର୍ଚ୍ଚନା ଓ ଜଗବନ୍ଧୁ ବ୍ଲାକମେଲିଂ ଓ ହନିଟ୍ରାପ ମାମଲା: ଇଡି କାର୍ଯ୍ୟାଳୟରେ ହାଜର ହେଲେ ସୋ’ରୁମ୍ ମାଲିକ

13

ଭୁବନେଶ୍ୱର: ବ୍ଲାକମେଲିଂ ଓ ହନିଟ୍ରାପ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଅର୍ଚ୍ଚନା ନାଗ ଓ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମାମଲାରେ ନିଖୋଜ ଏଣ୍ଡେଭର କାରର ପତ୍ତା ପାଉନି ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) । ତେଣୁ ଏହି ସମ୍ପର୍କରେ ତଥ୍ୟ ଜାଣିବା ପାଇଁ କାର ସୋ’ରୁମର ମାଲିକ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି । ନୋଟିସ୍ ଆଧାରରେ ସୋ’ରୁମ୍‌ର ମାଲିକଙ୍କ ପୁଅ ଶୁକ୍ରବାର ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ଏଣ୍ଡେଭର କାରର ମାଲିକାନା ଜାଇବା ନେଇ ତାଙ୍କୁ ନୋଟିସ ହୋଇଥିଲା । ଅର୍ଚ୍ଚନା ନାଗ ଉକ୍ତ ଡିଲରଙ୍କ ଠାରୁ ଏଣ୍ଡଭର ଗାଡି କିଣିଥିଲେ । ଏହି ଗାଡ଼ି କ୍ୟାସ ଆକାରରେ କିଣା ହୋଇଥିବା ଇଡି ତଦନ୍ତରୁ ସ୍ପଷ୍ଟ ହୋଇଛି । ଇଡି ତଦନ୍ତରୁ ଜାଣିବାକୁ ପାଇଛି ଯେ, ଏହି କାରକୁ କେହି ପ୍ରତିଷ୍ଠିତ ବ୍ୟକ୍ତି ତାଙ୍କ ଉପହାର ଆକାରରେ ଦେଇଛନ୍ତି । ଏହି ଦାମୀ କାରର ମୂଲ୍ୟ ପାଖାପାଖି ୪୦ ଲକ୍ଷ ଟଙ୍କା ହେବ । ଏହି ଗାଡକୁ ବ୍ୟବହାର କରି ଅର୍ଚ୍ଚନା ତାଙ୍କ କଳା ସାମ୍ରାଜ୍ୟର ବାଦଶାହ ବନିଥିଲେ । ଏହି କାର ଭିତରେ ହିଁ ସେ ଅନେକ ଡିଲ୍ କରିଥିଲେ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସେହି କାରକୁ ଏବେ ଖୋଜିବା ଆରମ୍ଭ କରିଛି । ଯଦି କୌଣସି ବ୍ୟକ୍ତି ଅର୍ଚ୍ଚନାଙ୍କ ଏହି କାରକୁ ଲୁଚାଇ ଥିବ, ତାଙ୍କ ବିରୋଧରେ ମଧ୍ୟ ଇଡି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଆବଶ୍ୟକ ପଡ଼ିଲେ କାର ଲୁଚାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ଇଡିର ଜଣେ ଅଧିକାରୀ କହିଛନ୍ତି । ଏହି ଦାମୀ କାର୍ ରାଜ୍ୟର କେଉଁ କେଉଁ ସ୍ଥାନକୁ ଯାଇଛି ତାହାର ସବିଶେଷ ତଥ୍ୟ ପାଇଁ ଇଡି ପକ୍ଷରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି କରାଯାଇଛି । ଅର୍ଚ୍ଚନା ନାଗ ମାମଲାରେ ଇଡିର ରିମାଣ୍ଡରେ ଥିବା ଖଗେଶ୍ୱର ପାତ୍ରର ରିମାଣ୍ଡ ଅବଧି ଗୁରୁବାର ୭ ଦିନରେ ପହଞ୍ଚିଛି । ଏହାରି ମଧ୍ୟରେ ଖଗେଶ୍ୱରକୁ ମାରାଥନ ଜେରା କରି ଅନେକ ତଥ୍ୟ ପାଇଛି ଇଡି । ଖଗେଶ୍ୱର ଅର୍ଚ୍ଚନାଙ୍କ ଏକାଧିକ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ହିସାବ ଦେବା ପରେ ଏବେ ଇଡି ଅର୍ଚ୍ଚନା ନାଗଙ୍କ ଏକ ନିର୍ଦିଷ୍ଟ ଦାମୀ କାର ଉପରେ ନଜର ପକାଇଛି । ଇଡିର ଦୁଇଟି ଭିନ୍ନ ଭିନ୍ନ ଟିମ୍ ଅର୍ଚ୍ଚନାଙ୍କ ନାଗଙ୍କ ସତ୍ୟବିହାର ଘର, ସୁପ୍ରିମ କାର ବଜାର, ପଳାସୁଣୀରେ ଥିବା ଏକ ଆପାର୍ଟମେଣ୍ଟରେ ଏକା ସାଙ୍ଗରେ ଚଢାଉ କରିଛି । କିନ୍ତୁ କେଉଁଠୁ ବି ଅଚ୍ଚର୍ନାଙ୍କ ଦାମୀ କାରର ପତ୍ତା ପାଇନାହିଁ ଇଡି । ଏହି କାର ସମ୍ପର୍କରେ ଇଡି ଆଜି ଝାରପଡ଼ା ଜେଲ୍‌ରେ ନାଗ ଦମ୍ପତ୍ତି ଏବଂ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରିବ ବୋଲି ଜଣାପଡିଛି । ଏନେଇ ଇଡି ପୂର୍ବରୁ କୋର୍ଟରୁ ଅନୁମତି ଆଣିଥିବା ଜଣାପଡିଛି । ଏହି ଜେରା ସମୟରେ ଜେଲ୍ କର୍ତ୍ତୃପକ୍ଷ ଉପସ୍ଥିତ ରହିବ ବୋଲି ଜଣାପଡିଛି । ତେବେ ଇଡିର ତଦନ୍ତ ପରେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ କଳା ସାମ୍ରାଜ୍ୟର ଗୁମର ଖୋଲିବ ବୋଲି ଆଶା କରାଯାଉଛି ।

Comments are closed, but trackbacks and pingbacks are open.