ଛତିଶା ନିଯୋଗ ବୈଠକରେ ରଥଯାତ୍ରାର ନୀତି ନିର୍ଘଣ୍ଟକୁ ଅନୁମୋଦନ

167

ଭୁବନେଶ୍ବର: ପୁରୀ ବଡ଼ଦାଣ୍ଡସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ରଥଯାତ୍ରାର ନୀତି ନିର୍ଘଣ୍ଟକୁ ବୈଠକରେ ଅନୁମୋଦନ କରାଯାଇଛି । ଚଳିତବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ଅନୁଷ୍ଠିତ ହୋଇଥିବା ନୀତିକାନ୍ତି ଅନୁଯାୟୀ ଚଳିତବର୍ଷ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେବ । ଆସନ୍ତା ଜୁଲାଇ ୭ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କ ଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ । ପରେ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ । ୬ ତାରିଖ ମହାପ୍ରଭୁଙ୍କ ସକାଳଧୂପ ପରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବ । ସକାଳ ୭ଟାରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ମିନିଟ୍‌ରେ ଅନୁଷ୍ଠିତ ହେବ । ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ଣ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେହେବ । ସେହିପରି ଜୁଲାଇ ୭ରେ ରାତ୍ର ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତିକାନ୍ତି ବଢ଼ି ସକାଳ ୭ଟା ୩୦ରୁ ୧୨ଟା ୩୦ ମଧ୍ୟରେ ସେନାପଟା ଲାଗି ହେବ । ଦିନ ୧୧ଟାରେ ରଥ ପ୍ରତିଷ୍ଠା, ୧ଟା ୧୦ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ପହଣ୍ଡି ଶେଷ ହେବ । ଏହାପରେ ଅପରାହ୍ଣ ୪ଟାରେ ଗଜପତିଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବା ପରେ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ତେବେ ଚଳିତବର୍ଷ ରଥଯାତ୍ରା ଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ହୋଇପାରିବ ସେନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଛି ଶ୍ରୀମନ୍ଦିର ପ୍ରଶାସନ । ଆଜି ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌ପି ପିନାକ ମିଶ୍ର, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଛତିଶା ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଆସନ୍ତାକାଲି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ପାରିତ କରିବ ପରିଚାଳନା କମିଟି ।

Leave A Reply

Your email address will not be published.