ପଞ୍ଚାୟତ ନିର୍ବାଚନ ପାଇଁ ଅପରାଜିତା ଷଡଙ୍ଗୀଙ୍କ ରଣନୀତି ପ୍ରସ୍ତୁତ

33

ପଞ୍ଚାୟତ ନିର୍ବାଚନ ଆଗରୁ ଜିଲ୍ଳା ସଭାପତି ଓ ପ୍ରଭାରୀଙ୍କୁ ନିର୍ବାଚନ ଜିତିବା ପାଇଁ ରଣନୀତି ବିଷୟରେ ମନ୍ତ୍ର ଦେଇଛନ୍ତି ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ । ସେ ଦଳୀୟ କାର୍ଯ୍ୟାଳୟ ଆୟୋଜିତ ବୈଠକରେ ବାଣ୍ଟିଛନ୍ତି ଗୁରୁମନ୍ତ୍ର । ରାଜ୍ୟ ପ୍ରଭାରୀ, ସହ-ପ୍ରଭାରୀ, ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀଙ୍କ ସହ ଏକାଧିକ ଏମପି ଓ ବିଧାୟକଙ୍କ ଉପସ୍ଥିତିରେ ସଂଗଠନକୁ ସୁଦୃଢ କରିବା ପାଇଁ ରଖିଛନ୍ତି ମାଷ୍ଟର ପ୍ଲାନ । କିଛି ଦିନ ପୁର୍ବରୁ ଗୁଜରାଟ ଗସ୍ତରେ ଯାଇ ସେଠିକାର ସଂଗଠନ ବିଷୟରେ ଆହରଣ କରିଥିବା ଫର୍ମୁଲାକୁ ଦଳର ନେତାଙ୍କୁ ବାଂଟିଛନ୍ତି ଅପରାଜିତା । ବଡ କଥା ହେଉଛି, ପାଠଶାଳା ନେଇ କେହି ମୁହଁ ଖୋଲିନଥିବା ବେଳେ କାର୍ଯ୍ୟକାରିଣୀରେ ଭବିଷ୍ୟତ ରଣନୀତି ଉପରେ ମୋହର ଲାଗିଛି ।ଏବେ ନଜର ପକାନ୍ତୁ କଣ ଗୁରୁମନ୍ତ୍ର ଦେଇଥିଲେ ଅପରାଜିତା । ପୃଷ୍ଠା ପ୍ରମୂଖ ନାଁରେ ଦଳ ଏକ ନୂଆ ରଣନୀତି କାର୍ଯ୍ୟକାରୀ କରିବାକୁ ଯାଉଛି । ଭୋଟର ଲିଷ୍ଟର ପ୍ରତି ପୃଷ୍ଠାର ଜଣେ ଜଣେ ଦଳୀୟ କର୍ମୀଙ୍କୁ ପୃଷ୍ଠା ପ୍ରମୁଖ ଭାବରେ ଦାୟିତ୍ୱ ଦିଆଯିବ । ଯାହାଙ୍କର କର୍ତ୍ତବ୍ୟ ରହିବ, ସେହି ପୃଷ୍ଠାରୁ ସର୍ବାଧିକ ଭୋଟ ଦଳ ପାଇଁ ହାସଲ କରିବା । ଆଉ ଏଥିପାଇଁ ଉତ୍ତରଦାୟିତ୍ୱ ମଧ୍ୟ ନିର୍ଦ୍ଧାରଣ କରାଯିବ । ରାଜ୍ୟ ବିଜେପିର ଏକ କମିଟି କିଛି ଦିନ ଆଗରୁ ଗୁଜୁରାଟ ଗସ୍ତ କରିବା ସହ ଏହାକୁ ଅନୁଧ୍ୟାନ କରିଥିଲେ ।
ଏହି ଫର୍ମୁଲାରେ ଦଳ ଉତ୍ତରପ୍ରଦେଶ ଓ ଗୁଜୁରାଟରେ ସଫଳତା ପାଇଥିଲା । ଯାହାକୁ ଓଡିଶାରେ ଲାଗୁ ପାଇଁ ୨୦୧୯ରେ ଚେଷ୍ଟା କରାଗଲା, ହେଲେ କାର୍ଯ୍ୟକାରୀ ହୋଇପାରିନଥିଲା । ଦଳର ବୁଥ କମିଟି ସଠିକ ଭାବେ ଗଢା ଯାଇନଥିବାରୁ ସମସ୍ୟା ସୃଷ୍ଟି କରିଥିବା ଚର୍ଚ୍ଚା ହୋଇଥିଲା ।
ବିଜେପି ପାଇଁ ପଞ୍ଚାୟତ ନିର୍ବାଚନ ସମ୍ମାନର କଥା । କାରଣ ୨୦୧୭ରେ ଏହି ନିର୍ବାଚନରେ ସଫଳତା ପାଇବା ପରେ ହିଁ ଦଳୀୟ ନେତା କ୍ଷମତାକୁ ଆସିବାର ଆଶା ରଖିଥିଲେ । ହେଲେ ୨୦୧୯ରେ ଦଳର ଭୋଟ ପ୍ରତିଶତ ଓ ସିଟ୍ ସଂଖ୍ୟା ବଢିଥିଲେ ବି ମ୍ୟାଜିକ ନମ୍ବର ଠାରୁ ଦଳ ବେଶ ପଛରେ ରହିଯାଇଥିଲା । ତେଣୁ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଗରୁ ଦଳ ସଂଗଠନକୁ ସୁଦୃଢ କରି ୨୦୧୭ର ସଫଳତା ଦୋହରାଇବାକୁ ଟାର୍ଗେଟ କରିଛି ।

Leave A Reply

Your email address will not be published.