ଆସୁଛି ପୁଣି ଏକ ଲଘୁଚାପ: ୧ରୁ ପ୍ରବଳ ବର୍ଷା

158

ଭୁବନେଶ୍ୱର:ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ଆସନ୍ତା ୩୦ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଏହାର ପ୍ରଭାବରେ ରାଜ୍ୟରେ ଅକ୍ଟୋବର ୧ତାରିଖରୁ ବର୍ଷାର ପରିମାଣ ବଢ଼ିବା ନେଇ ଅନୁମାନ କରାଯାଉଛି। ଆସନ୍ତା ଅକ୍ଟୋବର ଦୁଇ ତାରିଖରେ ଦଶହରା ରହିଛି। ଏହା ପୂର୍ବଦିନ ଉତ୍ତର ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଦଶହରା ବର୍ଷାକୁ ଧୋଇଯିବା ନେଇ କୁହାଯାଉଛି। ଏପଟେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ସକ୍ରିୟ ରହିଛି। ଆସନ୍ତା ୨୪ ଘଣ୍ଟାରେ ଦୁର୍ବଳ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଲଘୁଚାପ ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ସାରା ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ମୟୁରଭଞ୍ଜ, କେନ୍ଦୁଝର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, ନବରଙ୍ଗପୁର ଓ ମାଲକାନଗିରି ଏହି ୧୦ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେହିପରି ଆସନ୍ତାକାଲି ରାଜ୍ୟର କିଛି କିଛି ସ୍ଥାନରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାକୁ ଥିବା ବେଳେ ଉପକୂଳ ଓଡ଼ିଶାର ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୧ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ବର୍ଷା ସମୟରେ ୩୦ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି। ଆସନ୍ତା ୨ ଦିନ ଯାଏ ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣର କିଛି କିଛି ସ୍ଥାନରେ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର କିଛି କିଛି ସ୍ଥାନରେ ବର୍ଷା ଜାରି ରହିବ। ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଥିବା ବେଳେ ୨୪ଟି ଷ୍ଟେସନ୍‌ରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ବଲାଙ୍ଗୀର ସାଲେଭତାରେ ସର୍ବାଧିକ ୧୨୩.୨ ବର୍ଷା ରେକର୍ଡ ହୋଇଛି। ଅତ୍ୟନ୍ତ ପ୍ରବଳ ବର୍ଷା ପାଇଁ କଳାହାଣ୍ଡି ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏବଂ ଯେକୌଣସି ପ୍ରକାର ସମ୍ଭାବ୍ୟ ଜରୁୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଆସନ୍ତାକାଲି ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ ପୂର୍ବ ଅନୁମତି ବିନା ମୁଖ୍ୟାଳୟ ଛାଡି ପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comments are closed, but trackbacks and pingbacks are open.