ବାଙ୍ଗିରିପୋଷି ଘାଟିରେ ପୁଣି ଦୁର୍ଘଟଣା : ବୋଲେରୋ ଉପରେ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌

17

ବାରିପଦା : ବାଙ୍ଗିରିପୋଷି ଘାଟିରେପୁଣି ଘଟିଲା ଅଘଟଣ । ଏକ ବୋଲେରୋ ଉପରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ପିଆଜ ବୋଝେଇ ଟ୍ରକ୍‌। ଫଳରେ ୬ ଜଣ ଗୁରୁତର ହୋଇଛନ୍ତି। ଆହତ ମାନଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏପରି ମର୍ମନ୍ତୁଦ ଦୁର୍ଘଟଣା ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥ ବାଙ୍ଗିରିପୋଷି ଘାଟିରେ ଆଜି ସକାଳୁ ସକାଳୁଘଟି ଯାଇଛି ।

ବୋଲେରୋଟି ବାଙ୍ଗିରିପୋଷି ବଡ଼ଗାଁ ଅଞ୍ଚଳର ହୋଇଥିବା ବେଳେ ଆଜି ସକାଳୁ ସେମାନେ ଘାଟି ରାସ୍ତା ଦେଇ ଜାମସେଦପୁର ଅଭିମୁଖେ ଯାଉଥିଲେ । ୪୯ ନଂ ଜାତୀୟ ରାଜପଥ ର ବାଙ୍ଗିରିପୋଷି ଘାଟି ରାସ୍ତା ରେ ବୋଲେରୋଟି ଘାଟି ଉଠୁଥିବା ବେଳେ ନାସିକରୁ ଆସୁଥିବା ପିଆଜ ବୋଝେଇ ଟ୍ରକଟି ଘାଟି ତଳକୁ ଓହ୍ଲାଉଥିଲା
ଏହି ସମୟରେ ଭାରସାମ୍ୟ ହରାଇ ଟ୍ରକ୍‌ଟି ବୋଲେରୋ ଉପରେ ଓଲଟି ପଡ଼ିଥିଲା। ଫଳରେ ବୋଲେରୋ ଗାଡ଼ିରେ ଥିବା ଚାରିଜଣଙ୍କ ସମେତ ଟ୍ରକ୍ ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ବୋଲେରୋର ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ପ୍ରଥମେ ବାଙ୍ଗିରିପୋଷି ଡାକ୍ତରଖାନା ଏବଂ ପରେ ଗୁରୁତର ଦୁଇ ଜଣଙ୍କୁ ବାରିପଦା ମେଡିକାଲ କଲେଜକୁ ପଠାଇ ଦିଆଯାଇଛି।
ଦୁର୍ଘଟଣାସ୍ଥଳରେ ବାଙ୍ଗିରିପୋଷି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହାସହିତ ଦୁର୍ଘଟଣାଗ୍ରସ୍ତ ଗାଡିକୁ ମଧ୍ୟ ଜବତ କରିଛି । ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ମଧ୍ୟ ରାସ୍ତା ସମ୍ପ୍ରସାରଣ ନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନେଉ ନଥିବାରୁ ଜଣ ଅସନ୍ତୋଷ ବୃଦ୍ଧି ପାଉଛି ।

Comments are closed, but trackbacks and pingbacks are open.