ବର୍ଷୀୟାନ ଦାମୀ ସେଲିବ୍ରିଟି

63

ସାଧାରଣତଃ ବକ୍ସ ଅଫିସ୍‌ରେ ଫିଲ୍ମ ସୁପରହିଟ୍ ହେଲେ କଳାକାରଙ୍କ ପାରିଶ୍ରମିକ ବଢ଼ିଥାଏ । ମୁଖ୍ୟତଃ କ୍ରମାଗତ ଫିଲ୍ମ ହିଟ୍ ହେବା ପରେ ନାୟକ ଓ ନାୟିକା ସେମାନଙ୍କ ଫି’ ବଢ଼ାଇଥାନ୍ତି । ଏହା ସହ ଦାମୀ ଅଭିନେତା ଓ ଅଭିନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚୟ ହାସଲ କରନ୍ତି । ତେବେ ଏବେ ବି କିଛି ବରିଷ୍ଠ ଅଭିନେତା ତଥା ଅଭିନେତ୍ରୀ ଅଛନ୍ତି, ଯେଉଁମାନଙ୍କ ଦମ୍‌ଦାର ଅଭିନୟ ସେମାନଙ୍କୁ ଦାମୀ କଳାକାରର ମାନ୍ୟତା ପ୍ରଦାନ କରିଛି । ସେଭଳି କେତେକ ଲୋକପ୍ରିୟ ବର୍ଷୀୟାନ୍ ଦାମୀ ସେଲିବ୍ରିଟିଙ୍କୁ ନେଇ ଏହି ଉପସ୍ଥାପନା ।
ଅମିତାଭ ବଚ୍ଚନ: ବଲିଉଡର ବିଗ୍ ବି ଅମିତାଭ ‘ପିଙ୍କ’, ‘ପିକୁ’, ‘ସରକାର’ ଭଳି ଏକାଧିକ ସୁପରହିଟ୍ ଫିଲ୍ମ ଭେଟି ଦେଇଛନ୍ତି । ଦମ୍‌ଦାର ସଂଳାପ ସହ ଉଚ୍ଚକୋଟିର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖେ । ଏବେ ମୁକ୍ତିଲାଭ କରିଥିବା ‘ବ୍ରହ୍ମାସ୍ତ୍ର’ ସିନେମାରେ ସେ ନଜର ଆସିଛନ୍ତି । ଅବଶ୍ୟ ଏହି ଫିଲ୍ମଟି ବକ୍ସଅଫିସ୍‌ରେ ଭଲ ଆୟ କରିଛି । ତେବେ ଏ ଫିଲ୍ମ ବାବଦକୁ ଅମିତାଭ ନେଇଛନ୍ତି ୧୦ କୋଟି ଟଙ୍କା ।
ଧର୍ମେନ୍ଦ୍ର: ବଲିଉଡ ହି ମ୍ୟାନ୍ ଭାବେ ପରିଚିତ ଧର୍ମେନ୍ଦ୍ର । ଏହି ବର୍ଷୀୟାନ୍ ଅଭିନେତା ଏବେ ବି ଫିଲ୍ମ ବାବଦକୁ କୋଟି କୋଟି ଟଙ୍କା ନେଉଛନ୍ତି । ଖୁବ୍‌ଶୀଘ୍ର ଆଲିୟା ଓ ରଣବୀରଙ୍କ ସହ ‘ରକି ଔର୍ ରାନୀ କି ପ୍ରେମ କାହାଣୀ’ ସିନେମାରେ ନଜର ଆସିବେ । ଧର୍ମେନ୍ଦ୍ର ଏହି ଫିଲ୍ମ ଲାଗି ଦାବି କରିଛନ୍ତି ୫ କୋଟି ଟଙ୍କା ।
ବୋମନ ଇରାନି: ଅନ୍ୟତମ ଲୋକପ୍ରିୟ ଅଭିନେତା ହେଲେ ବୋମନ । ତାଙ୍କ ଅଭିନୟ ଦର୍ଶକଙ୍କୁ ହସାଇବା ସହ ଭାବବିହ୍ୱଳ ମଧ୍ୟ କରିଥାଏ । ସେହିପରି ‘ମୁନ୍ନା ଭାଇ ଏମ୍‌ବିଏସ୍‌’ଠୁ ଆରମ୍ଭ କରି ‘ଥ୍ରୀଇଡିୟଟସ’ ପର୍ଯ୍ୟନ୍ତ ଅନେକ ସୁପରହିଟ୍ ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ତେବେ ସେ ଶେଷଥର ପାଇଁ ‘ଜଏସ୍ ଭାଇ ଜୋର୍‌ଦାର’ରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ସେ ନେଇଥିଲେ ଦୁଇ କୋଟି ଟଙ୍କା ।
ଅନିଲ କପୁର: ଏମିତି କୌଣସି ଅଭିନୟ ନାହିଁ, ଯେଉଁଥିରେ ଅନିଲଙ୍କ ଅଭିନୟ ଦେଖିବାକୁ ମିଳି ନାହିଁ । ଆକ୍ସନ, ରୋମାନ୍ସ, କମେଡି ସବୁ ପ୍ରକାରର ଫିଲ୍ମ ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ସେହିପରି ତାଙ୍କ ଫିଲ୍ମକୁ ମଧ୍ୟ ଦର୍ଶକୀୟ ଆଦୃତି ମିଳିଛି । ନିକଟରେ ସେ ‘ଜୁଗ୍ ଜୁଗ୍ ଜିୟୋ’ ସିନେମାରେ ନଜର ଆସିଥିଲେ । ଏହି ଫିଲ୍ମ ପାଇଁ ଅନିଲ ନେଇଥିଲେ ଦୁଇ କୋଟି ଟଙ୍କା ।
ନୀତୁ କପୁର: କରଣ ଜୋହରଙ୍କ ନିର୍ଦ୍ଦେଶିତ ସିନେମା ‘ଜୁଗ୍ ଜୁଗ୍ ଜିୟୋ’ ଫିଲ୍ମରେ ବଡ଼ ପରଦାକୁ ଫେରିଛନ୍ତି ନୀତୁ କପୁର । ଦୀର୍ଘ ବର୍ଷ ବ୍ୟବଧାନରେ ଅଭିନୟ ଦୁନିଆକୁ ଫେରିଥିଲେ ମଧ୍ୟ ସେ ତାଙ୍କ ପାରିଶ୍ରମିକ କମାଇ ନାହାନ୍ତି । ଏହି ସିନେମା ପାଇଁ ତାଙ୍କୁ ଦିଆଯାଇଥିଲା ୧.୫ କୋଟି ଟଙ୍କା ।
ରତ୍ନା ପାଠକ ଶାହ: ବଲିଉଡର ଅନ୍ୟତମ ବର୍ଷୀୟାନ ଅଭିନେତ୍ରୀ ହେଲେ ରତ୍ନା । ନିଖୁଣ ଅଭିନୟ ଯୋଗୁଁ ଦର୍ଶକଙ୍କ ହୃଦୟ ଜିଣିବାରେ ସେ ସଫଳ ହୋଇଛନ୍ତି । ଅବଶ୍ୟ ସେ ମାୟା ସାରାଭାଇ ଚରିତ୍ର ଲାଗି ବେଶ୍ ଲୋକପ୍ରିୟ । ନିକଟରେ ତାଙ୍କ ଅଭିନୟ ‘ଜୟେଶ ଭାଇ ଜୋର୍‌ଦାର’ରେ ଦେଖିବାକୁ ମିଳିଥିଲା । ତେବେ ଏହି ଫିଲ୍ମ ପାଇଁ ସେ ଏକ କୋଟି ଟଙ୍କା ପାରିଶ୍ରମିକ ନେଇଥିଲେ ।
ଅନୁପମ୍ ଖେର୍‌: ସୁପରହିଟ୍ ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ରେ ଅନୁପମଙ୍କୁ ଦେଖିବାକୁ ମିଳିଥିଲା । ୧୨ କୋଟି ଟଙ୍କାରେ ନିିର୍ମିତ ଏହି ଫିଲ୍ମ ପାଇଁ ସେ ନେଇଛନ୍ତି କୋଟିଏ ଟଙ୍କା । ତେବେ ଏବେ ସେ ବଡି ଟ୍ରାନ୍ସଫରମ୍ କରାଇ ସଭିଁଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି ।
ନସିରୁଦ୍ଦିନ ଶାହ: ନସିରୁଦ୍ଦିନଙ୍କ ଜୀବନ୍ତ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି । କ୍ୟାରିୟର ପ୍ରାରମ୍ଭରୁ ସେ ଏଯାବତ୍ ସୁପରହିଟ୍ ଫିଲ୍ମ ଭେଟି ଦେଉଛନ୍ତି । ନିକଟରେ ସେ ସିନେମା ‘ଗହରାଇଆଁ’ରେ ନଜର ଆସିଥିଲେ । ଅବଶ୍ୟ ଏହି ଫିଲ୍ମ ଲାଗି ସେ ୪୫ ଲକ୍ଷ ଟଙ୍କା ନେଇଥିଲେ ।

Comments are closed, but trackbacks and pingbacks are open.