ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି : ୧୭ରୁ ୨୧ ନାମାଙ୍କନ ପତ୍ର ଦାଖଲ,୫ଟି ପର୍ଯ୍ୟାୟରେ ହେବ ମତଦାନ

0 22

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି I ପୂର୍ବରୁ ପଂଚାୟତ ନିର୍ବାଚନ ନେଇ ତାରିଖ ଘାସନ କରିସାରିଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ I। ପଞ୍ଚାୟତ ଅଫିସରେ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ଏହି ବିଜ୍ଞପ୍ତି ଜାରି କରିଛନ୍ତି ନିର୍ବାଚନ ଅଧିକାରୀମାନେ । ଏହା ସହ ଜିଲ୍ଲା ଓ ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ଏହାସହ ପଞ୍ଚାୟତ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବାଟ ଖୋଲିଛି ।

ବିଜ୍ଞପ୍ତି ଅନୁସାରେ ଚଳିତଥର ମୋଟ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯିବ । ସେହିଭଳି ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ ।
ଚୁଡାନ୍ତ ତାଲିକା ପ୍ରକାଶ ପାଇବା ପରେ ଆସନ୍ତା ଫେବ୍ରୁଆରୀ ୧୬ରୁ ୨୪ ମଧ୍ୟରେ ୫ଟି ପର୍ଯ୍ୟାୟ ନିର୍ବାଚନ ହେବ । ପ୍ରତ୍ୟେକ ପର୍ଯ୍ୟାୟ ନିର୍ବାଚନ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ । ତେଣୁ ଏହି ଦୃଷ୍ଟିରୁ ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ, ୧୮ରେ ଦ୍ୱିତୀୟ, ୨୦ରେ ତୃତୀୟ, ୨୨ରେ ଚତୁର୍ଥ ଓ ୨୪ରେ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ହେବ । ଚଳିତଥର ରାଜ୍ୟର ସମସ୍ତ ପର୍ଯ୍ୟାୟ ନିର୍ବାଚନ ଶେଷ ପରେ ଭୋଟ ଗଣତି ହେବ । ଆସନ୍ତା ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ଭୋଟ ଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ପ୍ରତ୍ୟେକ ଦିନ ଗୋଟିଏ ବ୍ଲକରେ ଗୋଟିଏ ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି କରାଯିବ । ସେହି ଜିଲ୍ଲା ପରିଷଦ ଜୋନରେ ଯେତେ ସରପଞ୍ଚ ଓ ସମିତି ସଭ୍ୟ ଥିବେ ସେମାନଙ୍କର ମଧ୍ୟ ଭୋଟଗଣତି ସେହିଦିନ ହେବ । ଭୋଟ ଗଣତିକୁ ସରଳ ଓ ସହଜ କରିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସେହିଭଳି ପ୍ରତ୍ୟକ୍ଷ ନିର୍ବାଚନ ଶେଷ ହେବା ପରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ସଭାପତି ଆସନ ପାଇଁ ଲଢେଇ ହେବ । ନିର୍ବାଚିତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରେ ଏହି ପଦ ପାଇଁ ଲଢେଇ ହେବ । ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶ ପରେ ଆସନ୍ତା ୧୨ ମାର୍ଚ୍ଚରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସେହିଭଳି ୨୩ ମାର୍ଚ୍ଚରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଅନ୍ୟପଟେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ୧୩ ମାର୍ଚ୍ଚରେ ନିର୍ବାଚନ ହେବାକୁ ଥିବା ବେଳେ, ୨୫ ମାର୍ଚ୍ଚରେ ଜିଲ୍ଲା ପରିଷଦ ଉପସଭାପତି ପାଇଁ ନିର୍ବାଚନ ହେବ । ସେହିଭଳି ୧୧ ମାର୍ଚ୍ଚରେ ନାଏବ ସରପଞ୍ଚ ପାଇଁ ନିର୍ବାଚନ ହେବ ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।
ସେହିପରି ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ଗତକାଲି ଗାଇଡ଼ଲାଇନ୍ ଜାରି କରିଛନ୍ତି ଏସଆରସି । ଜାନୁଆରୀ ୫ରେ ଜାରି ହୋଇଥିବା ଗାଇଡ଼ଲାଇନରେ ପରିବର୍ତ୍ତନ ହୋଇଛି । ନୂଆ ଗାଇଡ଼ଲାଇନ୍ ଅନୁସାରେ, କରୋନା ସଂକ୍ରମିତ ପ୍ରାର୍ଥୀ ପ୍ରଚାର କରିପାରିବେ ନାହିଁ । କୋଭିଡ ପଜିଟିଭ କେବଳ ଡିଜିଟାଲ କିମ୍ବା ଭର୍ଚୁଆଲ ଜରିଆରେ ପ୍ରଚାର କରିପାରିବେ । କୌଣସି ବଡ଼ ସମାବେଶ, ସମବେତ ହେବାକୁ ବାରଣ କରାଯାଇଛି । ପ୍ରଚାର ବେଳେ ସର୍ବାଧିକ ୫ ଜଣଙ୍କୁ ଅନୁମତି ମିଳିଛି । ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ୍ ରାଲି ହୋଇପାରିବ ନାହିଁ । ସର୍ବାଧିକ ୧୦୦ ଜଣଙ୍କୁ ନେଇ ଛୋଟ ଛୋଟ ରାଜନୈତିକ ସମାବେଶ ହୋଇପାରିବ। ଇଣ୍ଡୋର ହଲରେ କ୍ଷମତାର ୫୦% ଲୋକଙ୍କୁ ଉପସ୍ଥିତ ରଖିବାକୁ ଅନୁମତି ଦିଆଯାଇଛି ।

Leave A Reply

Your email address will not be published.