ଫାଷ୍ଟଟ୍ରାକ କୋର୍ଟରେ ଅଙ୍କିତା ହତ୍ୟା ମାମଲାର ବିଚାର

144

ଡେରାଡୁନ: ଉତ୍ତରାଖଣ୍ଡର ଅଙ୍କିତା ଭଣ୍ଡାରୀଙ୍କୁ ଓ ତାଙ୍କ ପରିବାର ଲୋକଙ୍କୁ ଖୁବ୍‌ ଶିଘ୍ର ନ୍ୟାୟ ମିଳିବ । ଏହି ହତ୍ୟାକାଣ୍ଡ ଘଟଣାର ଶୁଣାଣି ବିଚାର ଏବେ ଫାଷ୍ଟଟ୍ରାକ କୋର୍ଟରେ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏପରି ଘୋଷଣା କରିଛନ୍ତି । ଏଥିସହ ଅଙ୍କିତାଙ୍କ ପରିବାର ଲୋକଙ୍କ ପାଇଁ ସରକାର ୨୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।
ଅଙ୍କିତାଙ୍କ ହତ୍ୟାକାଣ୍ଡରେ ପୁଲକିତ ଗିରଫ ହେବାର ଦିନକ ପରେ ଅଙ୍କିତାଙ୍କ ମୃତଦେହ କେନାଲରୁ ଉଦ୍ଧାର ହୋଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ି ଅଙ୍କିତାଙ୍କ ମୃତ୍ୟୁ ହୋଇଛି । ସେହିପରି ତାଙ୍କ ଦେହରେ କ୍ଷତଚିହ୍ନ ରହିଛି ।

ପୁଲକିତ

ବିବାଦ ବଢ଼ୁଥିବାରୁ ସରକାର ତରବରିଆ ଭାବେ ରିସର୍ଟକୁ ଭାଙ୍ଗି ଦେଇଥିଲେ । ହେଲେ ପୀଡ଼ିତାଙ୍କ ପରିବାର ଲୋକ ପ୍ରମାଣ ନଷ୍ଟ ପାଇଁ ସରକାର ଏପରି କରିଥିବା ଦାବି କରି ଝିଅର ଅନ୍ତିମ ସଂସ୍କାର କରି ନଥିଲେ । ତେବେ ପ୍ରଶାସନର ବୁଝାସୁଝା ପରେ ଅନ୍ତିମ ସଂସ୍କାର କରାଯାଇଥିଲା । ପରିବାର ଲୋକଙ୍କ ଦାବି ଅନୁଯାୟୀ, ଆଜି ମାମଲାର ବିଚାର ଫାଷ୍ଟଟ୍ରାକ କୋର୍ଟରେ କରାଯିବ ବୋଲି ଧାମି ସରକାର ଘୋଷଣା କରିଛନ୍ତି ।
ଏଥିସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହି ଘଟଣାରେ ପୁଲିସ୍‌ ପୁଲକିତଙ୍କ ବ୍ୟତୀତ ଅଙ୍କିତ ଓ ସୌରଭଙ୍କୁ ଗିରଫ କରିଛି । ଦୀର୍ଘଦିନ ହେଲା ରିସର୍ଟରେ ଅତିଥିଙ୍କୁ ସବୁ ପ୍ରକାରର ନିଶା ଯୋଗାଇ ଦିଆଯାଉଥିବା ବେଳେ ଦେହ ବେପାର ମଧ୍ୟ ଏହା ଭିତରେ ଚାଲିଥିଲା । ଏବେ ରିସର୍ଟର ପୂର୍ବତନ କର୍ମଚାରୀମାନେ ଏହି କଳା ଗୁମର ସମ୍ପର୍କରେ ମୁହଁ ଖୋଲିବା ଆରମ୍ଭ କରିଛନ୍ତି ।

ସୂଚନା ଥାଉଯେ,୧୯ ବର୍ଷୀୟ ଅଙ୍କିତା ବିଜେପି ନେତାଙ୍କ ପୁଅ ପୁଲକିତ ଆର୍ଯ୍ୟଙ୍କ ରିସର୍ଟରେ ରିସେ«ନିଷ୍ଟ ଭାବେ କାମ କରୁଥିଲେ । ଚାକିରି କରିବାର ପ୍ରଥମ ମାସରେ ହିଁ ପୁଲକିତ ଓ ତାଙ୍କର ଦୁଇ ସହଯୋଗୀ ଅଙ୍କିତାଙ୍କୁ ଅତିଥିଙ୍କୁ ସ୍ୱତନ୍ତ୍ର ସେବା ଯୋଗାଇ ଦେବାକୁ ଚାପ ପକାଇବା ଆରମ୍ଭ କରିଥିଲେ । ଏଥିପାଇଁ ୧୦ ହଜାର ଟଙ୍କା ଲେଖାଏ ଦେବେ ବୋଲି ସେମାନେ କହିଥିଲେ । ହେଲେ ଅଙ୍କିତା ଏଥିରେ ରାଜି ହୋଇ ନଥିଲେ । ଦେହ ବେପାର ଭଳି କାମରେ ସାମିଲ ନ ହେବାରୁ ଅଙ୍କିତାଙ୍କୁ ସେମାନେ ମାଡ଼ ମାରି ହତ୍ୟା କରିଥିଲେ । ଏହାପରେ ଶବକୁ ନିକଟସ୍ଥ କେନାଲରେ ଫିଙ୍ଗି ଦେଇଥିଲେ । ସେପେଫମ୍ବର ୧୯ରୁ ଅଙ୍କିତା ନିଖୋଜ ଥିବା ବେଳେ ୩ ଦିନ ପରେ ପୁଲିସ୍‌ ପୁଲକିତ ଓ ରିସର୍ଟର ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରିଥିଲା । ଗିରଫଦାରୀ ପାଇଁ ମହିଳାମାନେ ବିକ୍ଷୋଭ କରିବାକୁ ପୁଲିସ୍‌ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

Comments are closed, but trackbacks and pingbacks are open.