ଏଣିକି ଥରାଇବ ଶୀତ

56

ଭୁବନେଶ୍ୱର: କିଛିଦିନ ଧରି ସାରା ରାଜ୍ୟରେ ପାଗ ପ୍ରାୟତଃ ଶୁଖିଲା ରହୁଥିବାବେଳେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଖସିଛି। ଅନ୍ୟଜିଲାଗୁଡ଼ିରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହୋଇନାହିଁ। ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ରହିଥିବାବେଳେ ଅନ୍ୟ ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ସ୍ବାଭାବିକ ଠାରୁ ସମାନ୍ୟ କମ୍‌ ରହିଥିଲା। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ସ୍ବାଭାବିକ ଠାରୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ମାତ୍ର ଶନିବାର ଠାରୁ ରାଜ୍ୟରେ ପାରଦ ତଳମୁହାଁ ହୋଇପାରେ। ଫଳରେ ରାଜ୍ୟବାସୀଙ୍କୁ ଶୀତ ଥରାଇପାରେ। ବିଶେଷ କରି ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇପାରେ। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ନାହିଁ। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଶୁକ୍ରବାର ଉତ୍ତର ଓଡ଼ିଶାରେ ବିଶେଷ କରି ସୁନ୍ଦରଗଡ଼ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଗଭୀର କୁହୁଡ଼ି ଦେଖିବାକୁ ମିଳିଛି। ସେହିପରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଶେଷ କରି କନ୍ଧମାଳ ଜିଲାରେ ମଧ୍ୟମ ଧରଣର କୁହୁଡ଼ି ଆସ୍ତରଣ ଦେଖିବାକୁ ମିଳିଥିଲା। ଶୁକ୍ରବାର ରାଜ୍ୟରେ ସର୍ବାଧିକ ତାପମାତ୍ରା ପାରାଦ୍ୱୀପରେ ୩୩.୦ଡିଗ୍ରୀ ସେଳସିୟସ୍‌ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ତାପମାତ୍ରା ରାଉରକେଳାରେ ୧୩.୯ ଡିଗ୍ରୀ ସେଲସିୟସ୍‌ ରହିଥିଲା।

Comments are closed, but trackbacks and pingbacks are open.