ସେନା ହେଲିକପ୍ଟର ଦୁର୍ଘଟଣା ରେ ଜଣେ ଓଡ଼ିଆ ଯବାନ ମୃତ

19

ଗତକାଲି ତାମିଲନାଡୁର କୁନ୍ନୁରରେ ହୋଇଥିବା ବାୟୁସେନା ହେଲିକପ୍ଟର ଦୁର୍ଘଟଣାରେ ଜଣେ ଓଡ଼ିଆ ଯବାନ ମଧ୍ୟ ପ୍ରାଣ ହରାଇଛନ୍ତି I ମୃତ ଯବାନ ହେଲେ ଅନୁଗୋଳ ଜିଲ୍ଲା ତାଳଚେରର ରାଣାପ୍ରତାପ ଦାସ । ସେ ଜୁନିଅର ୱରେଣ୍ଟ ଅଫିସର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ସମ୍ପର୍କୀୟ ବିଟୁ ଦାସ ଏହି ସୂଚନା ଦେଇଛନ୍ତି । ରାଣାପ୍ରତାପଙ୍କ ମୃତ୍ୟୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ କୌଣସି ସୂଚନା ପ୍ରଦାନ କରାଯାଇନ ଥିବାବେଳେ ତାଙ୍କ ମୃତ୍ୟୁ ସମ୍ପର୍କରେ ଦିଲ୍ଲୀରେ ରହୁଥିବା ତାଙ୍କ ପତ୍ନୀ ପରିବାର ଲୋକଙ୍କୁ ଜଣାଇଥିଲେ। ଆଜି ରାତିରେ ମୃତଦେହ ତାଳଚେରରେ ପହଞ୍ଚିବ ବୋଲି ଜଣାଯାଇଛି । ରାଣାପ୍ରତାପ ପତ୍ନୀ ଓ ଶିଶୁପୁତ୍ର ସହ ଦିଲ୍ଲୀରେ ରହୁଥିଲେ। ତାଙ୍କ ବାପାମା ଗାଁରେ ରହୁଛନ୍ତି।
ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଭଗବାନ ତାଙ୍କ ପରିବାରକୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ବୋଲି କାମନା କରି ଗଭୀର ସମବେଦନା ଜଣାଇଛନ୍ତି ବୈଜୟନ୍ତ ।ଉକ୍ତ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍‌ ଜେନେରାଲ ରାୱତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏବାବଦରେ ସ୍ପଷ୍ଟ କରାଯାଇଛି । କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସିଡିଏସ୍‌ ଜେନେରାଲ ରାୱତ, ପତ୍ନୀ ମଧୁଲିକାଙ୍କ ସହ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।

Leave A Reply

Your email address will not be published.