ଏସୀୟ କ୍ରୀଡ଼ାରେ ରୌପ୍ୟ ଜିତିଲେ ଓଡ଼ିଆ ପୁଅ କିଶୋର ଜେନା

489

ଭୁବନେଶ୍ୱର : ଏସୀୟ କ୍ରୀଡ଼ା -୨୦୨୩ ପୁରୁଷ ଜାଭେଲିନ୍‌ ଥ୍ରୋ’ରେ ରୌପ୍ୟ ଜିତିଲେ ଓଡ଼ିଆ ପୁଅ କିଶୋର ଜେନା I କିଶୋର ଜେନା ୮୭.୫୪ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି I କିଶୋରଙ୍କ ଏହି ସଫଳତାରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଓଡ଼ିଆ ପୁଅ କିଶୋର ଜେନାଙ୍କ ପାଇଁ ଦେଢ କୋଟି ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସେହିଭଳି ଏସୀୟ କ୍ରୀଡ଼ା ଜାଭେଲିନ୍‌ ଥ୍ରୋ’ର ପୁଣି ଥରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଭାରତର ସୁନା ପୁଅ ନିରୋଜ ଚୋପ୍ରା I ନୀରଜ ୮୮.୮୮ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ତେବେ ଚଳିତ ଏସିଆନ ଗେମ୍ସରେ ଦୁଇ ଭାରତୀୟ ଜାଭେଲିନ ଥ୍ରୋ ଖେଳାଳିଙ୍କ ମଧ୍ୟରେ ଜୋରଦାର ଟକ୍କର ଦେଖିବାକୁ ମିଳିଥିଲା । ଶେଷରେ ଭାରତ ପୁରୁଷ ଜାଭେଲିନରେ ଥ୍ରୋରେ ଉଭୟ ସୁନା ଓ ରୁପା ପଦକ ହଟେଇ ନେଇଛି । ଏହା ସହିତ ୨୦୨୪ ପ୍ୟାରିସ୍‌ ଅଲିମ୍ପିକ କ୍ରୀଡ଼ା ପାଇଁ ମଧ୍ୟ କିଶୋର ଯୋଗ୍ୟତା ଅର୍ଜନ କରିଛନ୍ତି । ଯାହା ରାଜ୍ୟ ପାଇଁ ଆଉ ଏକ ବଡ଼ ଗୌରବ ।

ଚୀନ୍‌ର ହାଙ୍ଗଝୌ ଠାରେ ଚାଲିଥିବା ଫିଙ୍ଗିଥିବା ବେଳେ କିଶୋର ୮୧.୨୬ ମିଟର ଦୂରକୁ ଫିଙ୍ଗିଥିଲେ । ଦ୍ୱିତୀୟ ଉଦ୍ୟମରେ ନୀରଜ ୮୪.୪୯ ଦୂରକୁ ଜାଭେଲିନ୍‌ ପକାଇଥିଲେ । ତେବେ ଦ୍ୱିତୀୟ ଉଦ୍ୟମରେ କିଶୋର ଭଲ କରି ପାରିନଥିଲେ । ତାଙ୍କ ଜାଭେଲିନ୍‌ ୭୯.୭୬ ମିଟର ଦୂରରେ ପଡ଼ିଥିଲା । ତାଙ୍କୁ ଫାଉଲ୍‌ ଡକା ଯାଇଥିଲା । ଯାହାକୁ ସେ ବିରୋଧ କରିଥିଲେ । ତେବେ ତୃତୀୟ ଥ୍ରୋରେ କିଶୋର ଜୋରଦାର ପ୍ରଦର୍ଶନ କରିଥିଲେ । ତାଙ୍କ ଜାଭେଲିନ୍‌ ପଡ଼ିଥିଲା ୮୬.୭୭ ମିଟର ଦୂରରେ । ଯାହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା । ଅନ୍ୟପକ୍ଷରେ ଚାମ୍ପିଅନ୍‌ ନୀରଜ ଚୋପ୍ରାଙ୍କ ତୃତୀୟ ଥ୍ରୋ ଫାଉଲ ହୋଇ ଥିଲା । ତଥାପି ସେ ୮୪.୪୯ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗିଥିଲେ । ଫଳରେ କିଶୋର ଟପି ଯାଇଥିଲେ ନୀରଜଙ୍କୁ ।

ଚତୁର୍ଥ ଉଦ୍ୟମରେ ନୀରଜ ପୁଣି ତାଙ୍କ ଫର୍ମକୁ ଫେରି ଫିଙ୍ଗିଥିଲେ ୮୮.୮୮ ମିଟର ଦୂରକୁ । ପୁଣି ପ୍ରଥମ ସ୍ଥାନକୁ ଫେରି ଆସିଥିଲେ । ସେତେବେଳେ କିଶୋର ୮୭.୫୪ ମିଟର ଦୂରକୁ ଜାଭେଲିନ୍‌ ଫିଙ୍ଗି ଦ୍ୱିତୀୟ ସ୍ଥାନରେ ରହିଥିଲେ । ପଞ୍ଚମ ଉଦ୍ୟମରେ କିଶୋର ଫାଉଲ୍‌ କରିଥିବା ବେଳେ ନୀରଜ ୮୦.୮୦ ମିଟର ଦୂରକୁ ଫିଙ୍ଗିଥିଲେ ।

ଶେଷ ପର୍ଯ୍ୟନ୍ତ ପ୍ରତିଯୋଗିତା ଚାଲିଥିଲା ଦୁଇ ଭାରତୀୟଙ୍କ ମଧ୍ୟରେ । ନୀରଜ ଏବଂ କିଶୋର ସବୁ ଉଦ୍ୟମରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଶେଷରେ ନୀରଜ ୮୮.୮୮ ମିଟର ଏବଂ କିଶୋର ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ୮୭.୫୪ ମିଟର ପାଇଁ ଯଥାକ୍ରମେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି ।

Comments are closed, but trackbacks and pingbacks are open.