ଭାରତରେ ମଙ୍କିପକ୍ସ ବ୍ୟାପିବା ନେଇ ଜାରି ହେଲା ସତର୍କ ସୂଚନା

22

ନୂଆଦିଲ୍ଲୀ ୨୮-୦୮ (ପି.ଏନ.ଏ) ବିଶ୍ୱର ୭୫ରୁ ଅଧିକ ଦେଶରେ ମଙ୍କିପକ୍ସ ଚିହ୍ନଟ ହୋଇସାରିଛି । ସୂଚନା ଅନୁସାରେ ୧୮ ହଜାରରୁ ଅଧିକ ଲୋକ ଏହି ସଂକ୍ରମଣର ସଂସ୍ପର୍ଶରେ ଆସିସାରିଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହାକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ବୋଲି ଘୋଷଣା କରାଯିବା ପରେ ଭାରତରେ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରିଛି । ଦେଶରେ ଏବେ ମଙ୍କିପକ୍ସରେ ୪ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । କିନ୍ତୁ ଅନେକ ରାଜ୍ୟ ମଙ୍କିପକ୍ସ ସହିତ ଲଢ଼େଇ କରିବା ଲାଗି ପରାମର୍ଶ ଜାରି କରିସାରିଛନ୍ତି ।

ଝାଡ଼ଖଣ୍ଡ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ରାଞ୍ଚି ସମେତ ପୂରା ରାଜ୍ୟରେ ସମସ୍ତ ସିଭିଲ ସର୍ଜନଙ୍କୁ ପରାମର୍ଶ ଦେଇଛନ୍ତି । ମଙ୍କିପକ୍ସକୁ ନେଇ ନିଜ ନିଜ ହସ୍ପିଟାଲରେ ଆଇସୋଲେଶନ ବ୍ୟବସ୍ଥା କରନ୍ତୁ ବୋଲି କହିଛନ୍ତି । ଉତ୍ତରାଖଣ୍ଡ ସରକାର ଡେଙ୍ଗୁ ଓ ମଙ୍କିପକ୍ସ ନେଇ ସତର୍କ ଅଛନ୍ତି । କେରଳ ଅଥବା ପ୍ରଭାବିତ ଦେଶରୁ ଉତ୍ତରାଖଣ୍ଡ ଆସୁଥିବା ଲୋକଙ୍କ ଉପରେ ନଜର ରଖିବାକୁ ସରକାର ସ୍ୱାସ୍ଥ୍ୟ ବିଭାଗକୁ ପରାମର୍ଶ ଦେଇଛନ୍ତି ।

ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀ, ଯେଉଁମାନଙ୍କ ଠାରେ ମଙ୍କିପକ୍ସ ଲକ୍ଷଣ ରହିଛି, ସେମାନଙ୍କୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟ ପ୍ରକାଶ ନାରାୟଣ ହସ୍ପିଟାଲ ନିଆଯିବା ପାଇଁ ଦିଲ୍ଲୀ ସରକାର ପରାମର୍ଶ ଜାରି କରିଛନ୍ତି । ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରଭୁ ରାମ ଚୌଧୁରୀ କହିଛନ୍ତି ଯେ, ରାଜ୍ୟ ସରକାର ମଙ୍କିପକ୍ସ ନେଇ ପୂରାପୁରି ଭାବେ ସତର୍କ ଅଛନ୍ତି । ରାଜ୍ୟରେ ଏପର୍ଯ୍ୟନ୍ତ ମଙ୍କିପକ୍ସରେ ସଂକ୍ରମିତ ରୋଗୀ ଚିହ୍ନଟ ହୋଇ ନାହାନ୍ତି । ତଥାପି ଆମେ ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ ବୋଲି ସେ କହିଛନ୍ତି । ସେହିପରି ବିହାର ଓ ଉତ୍ତରପ୍ରଦେଶ ସରକାର ମଧ୍ୟ ନିଜ ନିଜ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ ସୂଚନା ଜାରି କରିଛନ୍ତି ।

Comments are closed, but trackbacks and pingbacks are open.