୧୬ରୁ ଖୋଲିବ ‘ଅମୃତ ଉଦ୍ୟାନ’

712

ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ‘ଅମୃତ ଉଦ୍ୟାନ’। ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅମୃତ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଦ୍ୟାନ ଉତ୍ସବ-୧ ଅଧୀନରେ ଚଳିତ ବର୍ଷ ଜାନୁୟାରୀ ୨୯ ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅମୃତ ଉଦ୍ୟାନ ଖୋଲା ଯାଇଥିଲା। ଏହି ସମୟରେ ୧୦ ଲକ୍ଷରୁ ଅଧିକ ଲୋକ ଅମୃତ ଉଦ୍ୟାନ ପରିଦର୍ଶନ କରିଥିଲେ।

ବର୍ତ୍ତମାନ ଉଦ୍ୟାନ ଉତ୍ସବ-୨ ଅଧୀନରେ ଅଗଷ୍ଟ ୧୬ରୁ ଗୋଟିଏ ମାସ ପାଇଁ ସର୍ବସାଧାରଣଙ୍କ ପାଇଁ ପୁଣିଥରେ ଅମୃତ ଉଦ୍ୟାନ ଖୋଲାଯିବ। କିନ୍ତୁ ପ୍ରତ୍ୟେକ ସୋମବାର ଦିନ ଏହି ସୌନ୍ଦର୍ଯ୍ୟଭରା ଉଦ୍ୟାନ ଲୋକେ ପରିଦର୍ଶନ କରିପାରିବେ ନାହିଁ। ଅନ୍ୟପଟେ ସେପ୍ଟେମ୍ବର ୫ରେ ଗୁରୁଦିବସ ଥିବା ଅବସରରେ ସ୍ୱତନ୍ତ୍ର ଭାବେ ଶିକ୍ଷକମାନଙ୍କ ପାଇଁ ଅମୃତ ଉଦ୍ୟାନ ଖୋଲା ରହିବ।

ଜଣେ ଅଧିକାରୀ କହିଛନ୍ତି ଯେ ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ଅମୃତ ଉଦ୍ୟାନ ପାଇଁ ଖୋଲା ଯାଉଛି। ଉଦ୍ୟାନ ଉତ୍ସବ-୨ ର ମୂଳ ଉଦ୍ଦେଶ୍ୟ ହେଉଛି ପର୍ଯ୍ୟଟକମାନଙ୍କୁ ଗ୍ରୀଷ୍ମକାଳିନ ବାର୍ଷିକ ଫୁଲ ପ୍ରଦର୍ଶନ କରିବା। ବିବୃତ୍ତିରେ ଏହା ମଧ୍ୟ କୁହାଯାଇଛି ଯେ ସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉଦ୍ୟାନ ଉତ୍ସବ-୨ ସମୟରେ ମାଗଣାରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ପର୍ଯ୍ୟଟକମାନେ ସକାଳ ୧୦ ଟାରୁ ୫ ଟା ପର୍ଯ୍ୟନ୍ତ ଉଦ୍ୟାନ ପରିଦର୍ଶନ କରିପାରିବେ। ଶେଷ ପ୍ରବେଶ ଅପରାହ୍ନ ୪ଟାରେ ହେବ।

Comments are closed, but trackbacks and pingbacks are open.