ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର ଗିରଫ

ସୁନ୍ଦରଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଳ ବିଭାଜିକା ପ୍ରକଳ୍ପର ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ର ଭିଜିଲାନ୍ସ ଜାଲରେ ପଡ଼ିବା ପରେ ତାଙ୍କୁ ଗିରଫ କରାଯାଇଛି। ତାଙ୍କର ଏଭଳି ଦୁର୍ନୀତି ଏବେ ସରକାରୀ ମହଲରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ପ୍ରସନ୍ନ କୁମାର ପାତ୍ରଙ୍କ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ୱର, ସୁନ୍ଦରଗଡ଼ ଓ କଟକର ମୋଟ ୮ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ତାଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରୁ ବିପୁଳ ପରିମାଣର ସମ୍ପତ୍ତିର ତଥ୍ୟ ମିଳିଥିବା ଜଣାପଡ଼ିଛି। ଭିଜିଲାନ୍ସ ଚଢ଼ାଉ ବେଳେ ପ୍ରାୟ ୧ କୋଟି ୪୬ ଲକ୍ଷ ଟଙ୍କାର ଜମାରାଶି ଏବଂ ୨୧୧ ଗ୍ରାମ୍‌ ସୁନା ଠାବ ହୋଇଥିବା ସୂଚନା ମିଳିଛି। ଏହା ସହ ଭୁବନେଶ୍ୱରରେ ୪ଟି ବହୁତଳ କୋଠା ଓ ଗୋଟିଏା ଫ୍ଲାଟ୍‌ ଥିବା ଜଣାପଡ଼ିଛି। ଏଥିସହ ଭୁବନେଶ୍ୱର ଉପକଣ୍ଠରେ ୭ଟି ଦାମୀ ପ୍ଲଟ୍‌ ମଧ୍ୟ ଠାବ କରାଯାଇଛି।