ଉମରକୋଟ: ଉମରକୋଟରେ କଲେଜ ନିର୍ବାଚନ ପୂର୍ବରୁ ତେଜିଲା ହିଂସା । ପ୍ରଥମେ ଦୁଇ ଅଣ ଛାତ୍ରଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଏହି ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା । ଆଉ ଜଣେ ଅଣ ଛାତ୍ର ଦୀପ କମଲ ମହାପାତ୍ରଙ୍କ ଉପରେ ଛୁରାମାଡ଼ ହୋଇଥିଲା । ଆହତ ଦୀପ କମଲ ମହାପାତ୍ରଙ୍କୁ ପ୍ରଥମେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ପଡୋଶୀ ରାଜ୍ୟ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଥାଉ ଯେ, କଲେଜ ନିର୍ବାଚନ ଚାଲିଥିବା ସମୟରେ କଲେଜ କ୍ୟାମ୍ପସ ବାହାରେ ଗତକାଲି ଦୁଇ ଗୋଷ୍ଠୀର ଅଣଛାତ୍ରଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା । ପରେ ଘଟଣାଟି ସାମୟିକ ଭାବେ ଶାନ୍ତ ହୋଇପଡ଼ିଥିଲା । କିନ୍ତୁ ଆଜି ସକାଳେ ପୁଣି ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଅଭିଯୋଗ ଅନୁସାରେ, ଅଭିଷେକ ପଣ୍ଡା ନାମକ ଯୁବକଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଡିଏନକେ ଠାରେ ଆକ୍ରମଣ କରିଥିଲେ । ଏହାକୁ ନେଇ ଦୀପକମଲ ମହାପାତ୍ରଙ୍କ ଗୋଷ୍ଠୀ ପକ୍ଷରୁ ଡିଏନକେ ସ୍ଥିତ ତ୍ରିନାଥ ମନ୍ଦିର ନିକଟରେ ଆଲୋଚନା ଚାଲିଥିବା ସମୟରେ ପ୍ରାୟ ୩୦ ରୁ ୪୦ ଜଣ ଯୁବକ ବାଇକରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଦୀପକମଲ ମହାପାତ୍ରଙ୍କୁ ଛୁରା ଓ ଭୁଜାଲି ବ୍ୟବହାର କରାଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି । ତାଙ୍କ ପେଟ ଓ ହାତ ଓ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି । ଗୁରୁତର ଆହତ ଅବସ୍ଥାରେ ଦୀପକମଲଙ୍କୁ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା ।ଘଟଣା ପରେ ସହରରେ ତୀବ୍ର ଉତ୍ତେଜନା ଲାଗିରହିଛି । ଘଟଣାକୁ ନେଇ ଉମରକୋଟ ଥାନାରେ ଅଭିଯୋଗ ଦାଖଲ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।