ଭୁବନେଶ୍ବର: ପଟ୍ଟାମୁଣ୍ଡାଇ ସ୍ଥିତ ୟୁ.କେ. ମହାବୀର କଲେଜରେ ଛାତ୍ର ଅଶାନ୍ତି ଏବଂ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ବଡ଼ ପଦକ୍ଷେପ ନେଇଛନ୍ତି। କଲେଜ ଅଧ୍ୟକ୍ଷ ଚଳିତବର୍ଷର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ସହିତ କଲେଜକୁ ସାଇନ୍ ଡାଏ (ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ) ଘୋଷଣା କରିଛନ୍ତି। ଗତକାଲି ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ବିଜୁ ଜନତା ଦଳ ସମର୍ଥିତ ସଭାପତି ପ୍ରାର୍ଥୀ ଦୀପଙ୍କର ରାଉତଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାରକୁ କେନ୍ଦ୍ର କରି ବିଜେପି ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାପରେ ବିଜେଡି ସମର୍ଥିତ ଛାତ୍ରଛାତ୍ରୀମାନେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ପରବର୍ତ୍ତୀ ସମୟରେ ପ୍ରାର୍ଥୀ ଦୀପଙ୍କର ଅସୁସ୍ଥ ହୋଇ କେନ୍ଦ୍ରାପଡ଼ା ମେଡିକାଲରେ ଚିକିତ୍ସାଧୀନ ଅଥିବା ବେଳେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ଏହି ଘଟଣାକୁ ନେଇ ପରିସ୍ଥିତି ଅଧିକ ଜଟିଳ ହେବାରୁ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ସମ୍ମୁଖରେ ଦୀପଙ୍କରଙ୍କ ସୁରକ୍ଷା ଦାବି କରି ସମର୍ଥକଙ୍କ ସହିତ ଧାରଣାରେ ବସିଥିଲେ। ଛାତ୍ର ଅଶାନ୍ତି ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ନଜରରେ ରଖି କଲେଜ ଅଧ୍ୟକ୍ଷ ଶେଷରେ ନିର୍ବାଚନ ବାତିଲ ସହ କଲେଜକୁ ସାଇନ୍ ଡାଏ ଘୋଷଣା କରିଛନ୍ତି।