ଭୁବନେଶ୍ୱର: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ କ୍ୟାମ୍ପସ ରାଜନୀତି ପୁନରୁଜ୍ଜୀବିତ ହେବାକୁ ଯାଉଛି। ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବାର ସମ୍ଭାବନା ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସ୍ୱଳ୍ପ ସମୟ ମଧ୍ୟରେ ନିର୍ବାଚନ ଶେଷ କରିବାକୁ ସରକାର ସ୍ଥିର କରିଥିବା ବେଳେ ଆସନ୍ତା ୭ ତାରିଖରେ ନାମାଙ୍କନ ପତ୍ର ଦାଖଲ ହୋଇପାରେ। ଏହି ସଂକ୍ଷିପ୍ତ ସମୟସୀମାକୁ ନେଇ କେତେକ ଛାତ୍ର ସଙ୍ଗଠନ ଆପତ୍ତି ଜଣାଉଥିବା ବେଳେ ଅନ୍ୟ କେତେକ ଦୁର୍ଗାପୂଜା ଛୁଟି ପୂର୍ବରୁ ପ୍ରକ୍ରିୟା ଶେଷ କରିବାକୁ ଦାବି କରୁଛନ୍ତି। ମାତ୍ର ୧୦ ଦିନ ମଧ୍ୟରେ ନିର୍ବାଚନ ସାରିଲେ କ୍ୟାମ୍ପସର ଶୈକ୍ଷିକ ବାତାବରଣ ବଜାୟ ରହିବ ବୋଲି ବିଭାଗ ଆଶା ରଖିଛି। ସମ୍ଭାବ୍ୟ ସୂଚୀ ଅନୁଯାୟୀ, ଆସନ୍ତା ୧୫ ତାରିଖରେ ଭୋଟ ଗ୍ରହଣ ଓ ସେହିଦିନ ହିଁ ଫଳାଫଳ ଘୋଷଣା କରାଯିବ। ପରଦିନ ଅର୍ଥାତ ୧୬ ତାରିଖରେ ବିଜୟୀ ପ୍ରାର୍ଥୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। କ୍ୟାମ୍ପସ ଅଶାନ୍ତି ଯୋଗୁଁ ଦୀର୍ଘ ଦିନରୁ ବନ୍ଦ ରହିଥିବା ଏହି ନିର୍ବାଚନକୁ ନେଇ ଏବେ ସବୁଠି ପ୍ରସ୍ତୁତି ଜୋରଦାର ହୋଇଛି।