ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ବନ୍ୟା କ୍ଷୟକ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ଗୁରୁତ୍ଵପୂର୍ଣ୍ଣ ବୈଠକ ଶୁକ୍ରବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି। ବୈଠକ ପରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଓଡ଼ିଶାର ମୋଟାମୋଟି ୨୨ ଜିଲ୍ଲା ଆଂଶିକ ଓ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା। ସ୍ଥିତି ଏବେ ସ୍ୱାଭାବିକ ଅବସ୍ଥାକୁ ଆସିଛି। ପାଣିପାଗ ବିଭାଗର ପୂର୍ବ ଅନୁମାନ ଅନୁଯାୟୀ ମୟୂରଭଞ୍ଜ ଓ କିଛି ଜିଲ୍ଲାରେ ପ୍ରବଳ ବର୍ଷା ୭୦ ରୁ ୧୧୦ ମିମି ପର୍ଯ୍ୟନ୍ତ ହେବା ନେଇ ସୂଚନା ରହିଛି। ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଯାଜପୁର ଭଦ୍ରକ, କଟକ ୧୨୦ ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହୋଇପାରେ। ଏବେ ମଧ୍ୟ କିଛି ଜାଗାରେ ପାଣି ଅଛି।ଯେଉଁଠାରେ ପାଣି ସମ୍ପୂର୍ଣ୍ଣ ନିଷ୍କାସନ ହୋଇନାହିଁ, ପାଣି କମିବା ପରେ କ୍ଷୟକ୍ଷତିର ରିପୋର୍ଟ ପ୍ରସ୍ତୁତ କରି କ୍ଷତିପୂରଣ ଯୋଗାଇ ଦେବାକୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।ବିଭାଗମାନଙ୍କ ସାଙ୍ଗରେ ପଞ୍ଚାୟତିରାଜ ବିଭାଗକୁ ମଧ୍ୟ ତାଙ୍କର କ୍ଷୟକ୍ଷତି ରିପୋର୍ଟ ଦେବାକୁ କୁହାଯାଇଛି। ଏ ପର୍ଯ୍ୟନ୍ତ ଆସିଥିବା କ୍ଷୟକ୍ଷତି ରିପୋର୍ଟ ମୁତାବକ ୩୫୬୭ ଘର କ୍ଷତିଗ୍ରସ୍ତ ହୋଇଛି। ଏଥିସହିତ ୩୭ ହଜାର ୨୯୭ ହେକ୍ଟର ଚାଷ ଜମିରେ ଫସଲ ଓ ପନିପରିବା ବ୍ୟାପକ ଭାବେ ନଷ୍ଟ ହୋଇଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ଏହା ଅଧିକ ହୋଇପାରେ। ଆସନ୍ତା ଦିନେ ଦୁଇଦିନ ଭିତରେ ଏହାର ଚୂଡ଼ାନ୍ତ ରିପୋର୍ଟ ଆସିବ।