ସ୍ଥଗିତ ରହିଲା ପୁଲିସ ଡିଜି ଚୟନ

ନୂଆଦିଲ୍ଲୀ: ନୂଆଦିଲ୍ଲୀସ୍ଥିତ ୟୁୂପିଏସସି କାର୍ଯ୍ୟାଳୟରେ ଶୁକ୍ରବାର ନୂଆ ପୁଲିସ ଡିଜି ଚୟନ ପାଇଁ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଓଡ଼ିଶା ପକ୍ଷରୁ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ ଓ ପୁଲିସ ଡିଜି ୱାଇବି ଖୁରାନିଆ ଯୋଗ ଦେଇଥିଲେ। ପୁଲିସ ଡିଜି ଚୟନ ପାଇଁ ରାଜ୍ୟ ସରକାର ପଠାଇଥିବା ଆଇପିଏସ୍ ଅଫିସରମାନଙ୍କ ନାଁକୁ ନେଇ ଆଲୋଚନା ଆରମ୍ଭ ହୋଇଥିଲା। ଗତ ମଇ ୧୪ତାରିଖରେ ରାଜ୍ୟ ସରକାର ମୋଟ ୧୧ଜଣ ବରିଷ୍ଠ ଆଇପିଏସ୍ ଅଫିସରଙ୍କ ତାଲିକା ପଠାଇଥିଲେ ହେଲେ ଗତ ଦୁଇଦିନ ତଳେ ପଠାଇଥିବା ଶ୍ରୀ ନାଥଙ୍କ ସହ ଜଡ଼ିତ ସିବିଆଇ ରିପୋର୍ଟକୁ ନେଇ ୟୁପିଏସସି କର୍ତ୍ତୃପକ୍ଷ ଜାଣିବାକୁ ଚାହିଁଥିଲେ।ରାଜ୍ୟ ସରକାର ଗତ ଅଗଷ୍ଟ ୩ତାରିଖରେ ସିବିଆଇକୁ ଚିଠି ଲେଖି ଓପିଆରବି ମାମଲାରେ ସୁଶାନ୍ତ ନାଥଙ୍କ ଭୂମିକା ସମ୍ପର୍କରେ ଜାଣିବାକୁ ଚାହିଁଥିଲେ। ଆଉ ଠିକ୍ ଦୁଇଦିନ ପରେ ଅଗଷ୍ଟ ୫ତାରିଖରେ ସିବିଆଇ କର୍ତ୍ତୃପକ୍ଷ ଏନେଇ ରିପୋର୍ଟ ଦେବାପରେ ରାଜ୍ୟ ସରକାର ତାହାକୁ ୟୁପିଏସସି କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି। ସେହି ରିପୋର୍ଟକୁ ନେଇ ୟୁପିଏସସି କର୍ତ୍ତୃପକ୍ଷ ପ୍ରଶ୍ନ କରିବା ପରେ ତାଙ୍କୁ ପ୍ୟାନେଲରୁ ବାଦ୍ ଦେବାକୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଥିବା ଜଣାପଡ଼ିଛି। ମାତ୍ର କୌଣସି ଆଇନଗତ ଓ ବୈଧ ଦସ୍ତାବିଜ ବିନା ଶ୍ରୀ ନାଥଙ୍କ ନାମକୁ ବାଦ୍ ସମ୍ଭବପର ନୁହେଁ ବୋଲି ୟୁପିଏସସି କର୍ତ୍ତୃପକ୍ଷ ସ୍ପଷ୍ଟ କରିଥିଲେ। ଯାହା ଫଳରେ ଆଲୋଚନା ଆଗକୁ ବଢ଼ି ପାରିନାହିଁ। ବୈଠକ ଅଧାରୁ ବାତିଲ ହୋଇଯାଇଛି ।ପରବର୍ତ୍ତୀ ବୈଠକ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଧିକ ସମୟ ମଗାଯାଇଥିବା ଜଣାପଡ଼ିଛି।