ନୂଆଦିଲ୍ଲୀ: ଡାକ୍ତରମାନଙ୍କୁ ଦାମୀ ଉପହାର ଏବଂ ଅନ୍ୟାନ୍ୟ ମାଗଣା ସୁବିଧା ଦେଇପାରିବେନି ଔଷଧ କମ୍ପାନୀ | ଏଭଳି ଦାମୀ ଉପହାର, ବିଦେଶ ଯାତ୍ରା ଏବଂ ଅନ୍ୟାନ୍ୟ ମାଗଣା ସୁବିଧା ଦେଇ ନିଜ କମ୍ପାନୀର ଔଷଧ ଲେଖିବା ପାଇଁ ପ୍ରଭାବିତ କରିବା ଭଳି ଅନୈତିକ ପ୍ରଥା ଉପରେ ଏବେ ରୋକ୍ ଲାଗିବାକୁ ଯାଉଛି। ଔଷଧ କମ୍ପାନୀଗୁଡ଼ିକ ଅନୈତିକ ଉପାୟରେ ନିଜ ଔଷଧର ପ୍ରଚାର ନକରିବା ପାଇଁ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯିବ। ଏନେଇ ଆଜି କେନ୍ଦ୍ର ସରକାରଙ୍କୁ କମିଟି ଗଠନ କରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହଟ୍ଟାଙ୍କ ଖଣ୍ଡପୀଠ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ, କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଓ ଟିପ୍ପଣୀକୁ ଧ୍ୟାନରେ ରଖି ଏହି କମିଟି ଗଠନ କରାଯାଉ। ଏହି କମିଟି ଅନୈତିକ ମାର୍କେଟିଂ ପ୍ରଥାକୁ ରୋକିବା ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକର ବିଚାର କରିବ ଏବଂ ଏଭଳି ପ୍ରଥା ଉପରେ ରୋକ୍ ଲଗାଇବା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସୁପାରିସ କରିବ। ଜଷ୍ଟିସ୍ ମେହଟ୍ଟା କହିଥିଲେ, “ଆମେ ଭାରତ ସରକାରଙ୍କୁ ଏକ କମିଟି ଗଠନ କରିବା ଏବଂ ଆମର ପୂର୍ବ ନିର୍ଦ୍ଦେଶ ଓ ଟିପ୍ପଣୀ ଆଧାରରେ ନିଜର ସୁପାରିସ ଦେବାକୁ ନିର୍ଦ୍ଦେଶ ଦେଇଛୁ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ ହୋଇଛି କି ନାହିଁ, ସେ ସମ୍ପର୍କିତ ମାମଲାକୁ ୨୦୨୭ ଜାନୁଆରୀ ୨୯ରେ ପୁଣିଥରେ କୋର୍ଟଙ୍କ ସମ୍ମୁଖରେ ଉପସ୍ଥାପନ କରାଯିବ।” ଏହି ମାମଲା ଫେଡେରେସନ୍ ଅଫ୍ ମେଡିକାଲ୍ ଆଣ୍ଡ ସେଲ୍ସ ରିପ୍ରେଜେଣ୍ଟେଟିଭ୍ସ ଆସୋସିଏସନ୍ସ ଅଫ୍ ଇଣ୍ଡିଆ (FMRAI) ପକ୍ଷରୁ ଦାଖଲ କରାଯାଇଥିବା ଏକ ଯାଚିକାରୁ ଆରମ୍ଭ ହୋଇଥିଲା। ଏହି ଯାଚିକାରେ ଔଷଧ କମ୍ପାନୀଗୁଡ଼ିକର ମାର୍କେଟିଂ ପ୍ରଥାକୁ ନିୟନ୍ତ୍ରଣ କରିବା ପାଇଁ ଆଇନଗତ ଭାବେ ବାଧ୍ୟତାମୂଳକ ନିୟମ ପ୍ରଣୟନ କରିବାକୁ ଦାବି କରାଯାଇଥିଲା। ଏଥିସହ ଡାକ୍ତର ଏବଂ ମେଡିକାଲ୍ ପ୍ରଫେସନାଲମାନଙ୍କ ସହ ଜଡ଼ିତ ଭୁଲ କିମ୍ବା ଅନୈତିକ ପ୍ରଥା ନେଇ ମଧ୍ୟ ଅଭିଯୋଗ କରାଯାଇଥିଲା।