ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ରାଜ୍ୟରେ ଖୋଲିବନି ନୂଆ ମଦ ଦୋକାନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରବିବାର ରେଳ ଅଡିଟୋରିୟମଠାରେ କମିଶନରେଟ୍ ପୁଲିସ ପକ୍ଷରୁ ଆୟୋଜିତ‘ଜୀବନ ଜିନ୍ଦାବାଦ-୨.୦’ରେ ମୁଖ୍ୟମନ୍ତ୍ରୀ ଯୋଗଦେଇ କହିଛନ୍ତି ଯେ ନିଶା କେବଳ ବ୍ୟକ୍ତିଗତ ଜୀବନକୁ ନୁହେଁ ବରଂ ସମଗ୍ର ପରିବାର ଓ ସମାଜକୁ ବରବାଦ କରିଦେଉଛି। ନିଶା ଠାରୁ ଯୁବପିଢ଼ି ଦୂରେଇ ରୁହନ୍ତୁ। ରାଜ୍ୟରୁ ନିଶାକୁ ମୂଳପୋଛ କରିବା ପାଇଁ ମୁଖ୍ୟମନ୍ତ୍ରୀ ଦୃଢ଼ ଆହ୍ବାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଯେତେ ବାଧାବିଘ୍ନ ଓ ବିଫଳତା ଆସିଲେ ମଧ୍ୟ ସେଗୁଡ଼ିକୁ ସାମ୍ନା କରି ଆଗକୁ ବଢ଼ିବା ହେଉଛି ପ୍ରକୃତ ଜୀବନIଗତବର୍ଷ ଆରମ୍ଭ ହୋଇଥିବା‘ଜୀବନ ଜିନ୍ଦାବାଦ’ଅଭିଯାନ ଆତ୍ମହତ୍ୟା ପ୍ରବୃଭିକୁ ରୋକିବାରେ ବଡ଼ ସଫଳତା ଦେଇଛି। ବର୍ତ୍ତମାନର‘ଜୀବନ ଜିନ୍ଦାବାଦ ୨.୦’ଯୁବବର୍ଗଙ୍କୁ ନିଶାରୁ ଦୂରେଇ ରଖିଶିକ୍ଷା,କ୍ରୀଡ଼ା ଓ ସୃଜନଶୀଳତା ଆଡ଼କୁ ଆକର୍ଷିତ କରିବାର ଏକ ବ୍ୟାପକ ପ୍ରୟାସ ବୋଲି ସେ ମତବ୍ୟକ୍ତ କରିଛନ୍ତି। କମିଶନରେଟ୍ ପୁଲିସର‘ନିଶାମୁକ୍ତ ଭାରତ’ସମ୍ବନ୍ଧୀୟ ଏକ ୱେବସାଇଟକୁ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଥିଲେ lସାମ୍ପ୍ରତିକ ପରିସ୍ଥିତିରେ ଅଧିକାଂଶ ଜଘନ୍ୟ ଅପରାଧ ଓ ମହିଳା ହିଂସା ପଛରେ ନିଶା ସେବନ ମୁଖ୍ୟ କାରଣ ପାଲଟିଥିବା ନେଇ ଗଭୀର ଚିନ୍ତା ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ ଦେଶରେ ପ୍ରତିବର୍ଷ କେବଳ ମଦ୍ୟପାନ କାରଣରୁ ପ୍ରାୟ ୨ ଲକ୍ଷ ୬୦ ହଜାରରୁ ୨ ଲକ୍ଷ ୮୦ ହଜାର ବ୍ୟକ୍ତିଙ୍କ ମୃତ୍ୟୁ ହେଉଛି। ମଦ୍ୟପାନ କରି ଗାଡ଼ି ଚଳାଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ତାଲିକାରେ ଓଡ଼ିଶା ଦ୍ଵିତୀୟ ସ୍ଥାନରେ ରହିବା ଅତ୍ୟନ୍ତ ଚିନ୍ତାଜନକ ବୋଲି ସେ ସ୍ବୀକାର କରିଥିଲେ। ରାଜ୍ୟ ସରକାରଙ୍କ ଗ୍ରହଣ କରାଯାଇଥିବା ବିଭିନ୍ନ ଦୃଢ଼ ପଦକ୍ଷେପଗୁଡ଼ିକୁ ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ଜଣାଇଲେ ଯେ ଗତ ଏପ୍ରିଲ ପହିଲାରୁ ନୂତନ ଅବକାରୀ ନୀତି ଅନୁସାରେ ଆଗାମୀ ତିନି ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ। ଏହାସହ ଚୋରା ଓ ବିଷକ୍ତ ମଦ କାରବାର ପାଇଁ ସ୍ଥାନୀୟ ପ୍ରଶାସନକୁ ଉତ୍ତରଦାୟୀ କରାଯାଇଛି। ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଏବଂ ଗୁଟ୍‌‌କା ଉତ୍ପାଦନ ଓ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବା ସାଙ୍ଗକୁ ସ୍କୁଲ ଓ କଲେଜ କ୍ୟାମ୍ପସକୁ ‘ନିଶା ନିଷିଦ୍ଧ’ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ଦେଶର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ୨୦୨୯ ଶେଷ ସୁଦ୍ଧା ଭାରତକୁ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ପାଇଁ ଘୋଷିତ ‘ଡେଡ୍‌ଲାଇନ୍’କୁ ସାକାର କରିବା ଦିଗରେ ଓଡ଼ିଶା ସରକାର ପ୍ରତିବଦ୍ଧ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।