ଜୀବନ ନେଲା ରିଲ୍ସ ; ପୂର୍ବରୁ ରେଳ ଧାରଣାରେ ଷ୍ଟଣ୍ଟ କରିଥିବା ସୂଚନା

ସମ୍ବଲପୁର: ଗତକାଲି ରାତିରେ ଟ୍ରେନ ଧକ୍କାରେ ଜଣେ ନାବାଳକଙ୍କ ଜୀବନ ଯାଇଛି । ମୃତ ନାବାଳକ ଜଣକ ହେଲେ ବାଉଁଶୁଣି ନିକଟ ଟାଲୁପାଲି ଗ୍ରାମର ସଞ୍ଜୟ ମହାନନ୍ଦିଆଙ୍କ ପୁଅ ରିଙ୍କୁ ମହାନନ୍ଦିଆ (ରିଙ୍କୁ) । ପୁଲିସ ସୂଚନା ମୁତାବକ, ଗତବର୍ଷ ରିଙ୍କୁ ରେଳ ଧାରଣାରେ ଚଳନ୍ତା ଟ୍ରେନ ତଳେ ଶୋଇ ଏକ ବିପଦଜନକ ଷ୍ଟଣ୍ଟ୍ ଦେଖାଇଥିଲେ । ସୌଭାଗ୍ୟବଶତଃ ସେତେବେଳେ ସେ ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ସେହି ସମୟରେ ବଲାଙ୍ଗୀର ଜିଆରପି ପୁଲିସ ତାଙ୍କୁ ଏବଂ ତାଙ୍କ ଅଭିଭାବକଙ୍କୁ ଥାନାକୁ ଡକାଇ ଏଭଳି ଜୀବନ ପ୍ରତି ବିପଦ ଥିବା କାର୍ଯ୍ୟ ନକରିବାକୁ କଡ଼ା ଚେତାବନୀ ଦେଇ ବୁଝାଇଥିଲେ । ଏପରିକି ପରିବାର ପକ୍ଷରୁ ଏଭଳି କାମ ଆଉ କରାଯିବ ନାହିଁ ବୋଲି ଏକ ଲିଖିତ ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । କିନ୍ତୁ ଗତକାଲି ରାତିରେ ଟ୍ରେନର ଧକ୍କାରେ ନାବାଳକଙ୍କ ମୁଣ୍ଡ ବିଦୀର୍ଣ୍ଣ ହୋଇଯାଇଥିବା ବେଳେ ଗୋଟିଏ ଗୋଡ଼ ମଧ୍ୟ କଟିଯାଇଛି । ଖବର ପାଇ ବାଉଁଶୁଣି ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ଶବ ହସ୍ତାନ୍ତର କରାଯାଇଛି ।