ଭୁବନେଶ୍ୱର: ରାଜ୍ୟର ଘରୋଇ ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ ଓ ମେଡିକାଲ କଲେଜଗୁଡ଼ିକରେ ବେଲଗାମ ଫି’ ଆଦାୟ ଓ ମନଇଚ୍ଛା ଫି’ ବୃଦ୍ଧି ଉପରେ ଶେଷରେ ଲଗାମ ଲଗାଇଛନ୍ତି ରାଜ୍ୟ ସରକାର l ଇଞ୍ଜିନିୟରିଂରୁ ମେଡିକାଲ ଓ ପ୍ରଫେସନାଲ ଶିକ୍ଷା ବ୍ୟବସ୍ଥାକୁ ସ୍ୱଚ୍ଛ, ନିୟନ୍ତ୍ରିତ ଓ ସୁବିଧାଜନକ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଆର୍ଥିକ ଶୋଷଣରୁ ମୁକ୍ତି ଦେବା ପାଇଁ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ୨୦୨୬-୨୭ରୁ ୨୦୨୮-୨୯ ଶିକ୍ଷାବର୍ଷ ମଧ୍ୟରେ ଡିପ୍ଲୋମା, ଇଞ୍ଜିନିୟରିଂ, ମ୍ୟାନେଜମେଣ୍ଟ, ଫାର୍ମାସୀ ଓ ମେଡିକାଲ ପାଠ୍ୟକ୍ରମରେ ରାଜ୍ୟର ଘରୋଇ କଲେଜଗୁଡ଼ିକରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ସେମାନଙ୍କ ଶିକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ଏହି ଦେୟ ଅପରିବର୍ତ୍ତିତ ରହିବ। ଘରୋଇ କଲେଜ ମାଲିକମାନଙ୍କ ମନମୁଖୀ ବର୍ଷମଝିରେ ଏହାକୁ ବଦଳାଇ ପାରିବେ ନାହିଁ କିମ୍ବା ଏହି ୩ଟି ଶିକ୍ଷାବର୍ଷରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଠପଢ଼ା ସରିବା ପର୍ଯ୍ୟନ୍ତ ଏହି ଫି’ରେ ଆଉ କିଛି ଯୋଡ଼ିପାରିବେ ନାହିଁ ବୋଲି ସରକାର ସ୍ପଷ୍ଟ କରିଛନ୍ତି। କେବଳ ପାଠ୍ୟକ୍ରମ ବାବଦ ଫି’ ନୁହେଁ ଘରୋଇ କଲେଜଗୁଡ଼ିକ ଦ୍ୱାରା ନିଆଯାଉଥିବା ଅପସନାଲ(ଇଚ୍ଛାଧୀନ) ଖର୍ଚ୍ଚ ତାଲିକା ଉପରେ ମଧ୍ୟ ରାଜ୍ୟ ସରକାର ଅଙ୍କୁଶ ଲଗାଇଛନ୍ତି। ଏଥିରେ ପିଲାମାନଙ୍କ ହଷ୍ଟେଲ ଖର୍ଚ୍ଚଠୁ ଆରମ୍ଭ କରି ୟୁନିଫର୍ମ, ପରିବହନ ଭଡ଼ା, ପ୍ରି-ପ୍ଲେସମେଣ୍ଟ ଫି’ ଆଦି ସବୁକିଛି ସାମିଲ ରହିଛି। ଓଡ଼ିଶା ପ୍ରଫେସନାଲ ଏଜୁକେସନାଲ ଇନଷ୍ଟିଚ୍ୟୁସନ୍ସ ଆକ୍ଟ-୨୦୦୭ର ନିୟମାବଳୀ ଓ ଧାରା ୬(୭) ଅନୁଯାୟୀ ଗଠିତ ଫି’ ନିର୍ଦ୍ଧାରଣ କମିଟିର ସୁପାରିସ ଆଧାରରେ ଏହି ନୂଆ ଫି’ ହାର ଧାର୍ଯ୍ୟ ହୋଇଛି।