୫୯ ବର୍ଷ ବୟସରେ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଗୁପ୍ତାଙ୍କ ପରଲୋକ

ମୁମ୍ବାଇ: ହିନ୍ଦୀ ସିନେମା ଜଗତର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା, ନିର୍ଦ୍ଦେଶକ ତଥା ପ୍ରଯୋଜକ ସଞ୍ଜୟ ଗୁପ୍ତାଙ୍କର ଅକାଳ ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ତାଙ୍କର ଏଭଳି ଅଚାନକ ମୃତ୍ୟୁରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଗଭୀର ଶୋକର ଛାୟା ଖେଳିଯାଇଛି। ପରିବାର ଏବଂ ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଶୁକ୍ରବାର ରାତିରେ ସଞ୍ଜୟ ଗୁପ୍ତା ନିଜ ବାସଭବନରେ ହଠାତ୍ ପଡ଼ିଯାଇଥିଲେ। ଘରେ ପଡ଼ିଯିବା କାରଣରୁ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ତାଙ୍କର ପ୍ରାଣହାନୀ ଘଟିଥିବା ଜଣାପଡ଼ିଛି। ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଅଶୋକ ପଣ୍ଡିତ ତାଙ୍କର ବିୟୋଗକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଜୀବନ୍ତ ବ୍ୟକ୍ତିତ୍ୱ, ମହାନ କାହାଣୀକାର ଏବଂ ଜଣେ ଅତ୍ୟନ୍ତ ଉତ୍ସର୍ଗୀକୃତ ଚଳଚ୍ଚିତ୍ର ନିର୍ମାତା ଥିଲେ ବୋଲି ସେ କହିଛନ୍ତି। ତାଙ୍କର ବିୟୋଗ ସିନେମା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ଅଟେ। ଖୁବଶୀଘ୍ର ତାଙ୍କ ଅନ୍ତିମ ସଂସ୍କାର ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।