ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ୧୩ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ବର: ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯହା ଆଗକୁ ଉତ୍ତର ଆଣ୍ଡାମାନ ଦିଗକୁ ଅଗ୍ରସର ହୋଇପାରେ। ଏହାର ପ୍ରଭାବରେ ଆସନ୍ତା ୧୩ ତାରିଖ ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ଆକଳନ ଅନୁସାରେ, ଏହି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ବଡ଼ କିମ୍ବା ଲଗାଣ ବର୍ଷାର ସମ୍ଭାବନା କମ୍ ଥିବାବେଳେ ମୁଖ୍ୟତଃ ଦଶହରାରେ ପାଗ ଶୁଖିଲା ରହିବ। ଆସନ୍ତା ୫ ଦିନ ଯାଏଁ ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ। ତେବେ ଟ୍ରଫ୍‌ଲାଇନ୍ ଏବଂ ପୂର୍ବପଟୁ ପବନ ପ୍ରବାହ ଯୋଗୁ ୧୩ ତାରିଖ ରାତିରୁ ୧୫ ତାରିଖ ରାତି କିମ୍ବା ୧୬ ତାରିଖ ମଧ୍ୟାହ୍ନ ମଧ୍ୟରେ ଉପକୂଳ ଓଡ଼ିଶାରେ ପାଗ ବଦଳିପାରେ। ବିଶେଷକରି ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଯାଜପୁର ଏବଂ ମୟୂରଭଞ୍ଜ ଜିଲ୍ଲାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ଏବଂ ପବନ ହୋଇପାରେ ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ମଧ୍ୟ ସମ୍ଭାବନା ରହିଛି। ଆକଳନ କରାଯାଇଛି ଯେ ୧୩ ତାରିଖରେ ଲଘୁଚାପ ସୃଷ୍ଟି ହେବା ପରେ ୧୪ ରୁ ୧୬ ତାରିଖ ଭିତରେ ଏହା ଅଧିକ ସଂଗଠିତ ହୋଇ କେନ୍ଦ୍ରୀୟ କିମ୍ବା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଗତି କରିପାରେ। ପରେ ୧୬ ତାରିଖ ବେଳକୁ ବର୍ଷାର ପରିମାଣ କମିଯିବା ସହ ପୁଣି ପାଗ ଶୁଖିଲା ହୋଇଯିବ।