ନୂଆଦିଲ୍ଲୀ: ୩ ଅକ୍ଟୋବର ଶନିବାର ରାଜଧାନୀ ଦିଲ୍ଲୀରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଜନ୍ତର ମନ୍ତରରେ ହୋଇଥିବା ବିରୋଧ ପ୍ରଦର୍ଶନକାଳରେ ଯୌନ ଉତ୍ପୀଡ଼ନାର ମାମଲା ସାମ୍ନାକୁ ଆସିଛି। ୩ ମହିଳା ସାମ୍ବାଦିକ ବିକ୍ଷୋଭକାଳରେ ଆସିଷ୍ଟାଣ୍ଟ କମିଶନର ପୋଲିସ(ଏସିପି)ଙ୍କ ଉପରେ ଯୌନ ଉତ୍ପୁୀଡ଼ନର ଅଭିଯୋଗ ଆଣିଛନ୍ତି। ଜନୈକା ମହିଳା ସାମ୍ବାଦିକଙ୍କ ଅନୁସାରେ ଯେତେବେଳେ ସେ ପୋଲିସ କାର୍ଯ୍ୟାନୁଷ୍ଠାନର ଭିଡିଓ ରେକର୍ଡିଂ କରୁଥିଲେ ପୋଲିସ ଅଧିକାରୀ ତାଙ୍କୁ ‘ବ୍ୟଡ ଟଚ୍’ ଦେବା ସହ ଧକ୍କା ଦେଇ ହଟାଇ ଦେଇଥିଲେ। ମହିଳା ସାମ୍ବାଦିକ କହିଛନ୍ତି ଯେ ଏହି ଘଟଣା ପରେ ସେ ସମ୍ବନ୍ଧିତ ପୋଲିସ ଥାନାକୁ ଯାଇଥିଲେ ଓ ତାଙ୍କ ପ୍ରତି ହୋଇଥିବା ଅସଦାଚରଣ ଲାଗି ମାମଲା ରୁଜୁ ନିମନ୍ତେ ଅଭିଯୋଗ କରିଥିଲେ। ହେଲେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରିନଥିଲା। ତେବେ ଏହି ମାମଲାରେ ଦିଲ୍ଲୀ ପୋଲିସ ନିଜର ପ୍ରତିକ୍ରିୟା ରଖି ଅଫିସିଆଲ ଏକ୍ସ ଆକାଉଣ୍ଟରେ ଏ ନେଇ ଏକ ପୋଷ୍ଟ କରିଛି। ଏଥିରେ ୩ ଅକ୍ଟୋବର ୨୦୨୬ ଦିଲ୍ଲୀ ପ୍ରୋଟେଷ୍ଟ କାଳରେ ଉପୁଜିଥିବା ଆଇନ ଶୃଙ୍ଖଳା ପରିସ୍ଥିତିରେ ୩ ଜଣ ମହିଳା ସାମ୍ବାଦିକ ପୋଲିସ ବିରୋଧରେ ଯୌନ ଅସଦାଚାରଣ ଅଭିଯୋଗ କରିଥିବା ସୂଚିତ କରିଛି। ଦିଲ୍ଲୀ ପୋଲିସ ପକ୍ଷରୁ କୁହାଯାଇଛି ଯେ ନୂଆ ଦିଲ୍ଲୀ ଡିଷ୍ଟ୍ରିକ୍ଟ ପୋଲିସକୁ ମହିଳା ସାମ୍ବାଦିକମାନଙ୍କ ଅଭିଯୋଗ ମିଳିଛି। ଏହି ମାମଲାର ନିରପେକ୍ଷ ଯାଞ୍ଚ ନିମନ୍ତେ ଏହାକୁ କ୍ରାଇମବ୍ରାଞ୍ଚକୁ ଟ୍ରାନ୍ସଫର କରିଦିଆଯାଇଛି।