ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ : ରାଜ୍ୟର ବିକାଶ ଆଲୋଚନା ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା ଜୋର୍

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରସ୍ଥିତ ଲୋକଭବନଠାରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପାଟିଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ସାକ୍ଷାତକାର କେବଳ ଏକ ସୌଜନ୍ୟମୂଳକ ବୈଠକ ନହୋଇ, ରାଜ୍ୟର ସାମଗ୍ରିକ ବିକାଶ ଓ ପ୍ରଶାସନିକ କାର୍ଯ୍ୟପନ୍ଥାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ପରିସର ସୃଷ୍ଟି କରିଛି। ଲୋକଭବନରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ପୁଷ୍ପଗୁଚ୍ଛ ଦେଇ ରାଜ୍ୟପାଳଙ୍କୁ ଆନ୍ତରିକ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଭେଟଘାଟ ସମୟରେ ଏକ ଭାବପୂର୍ଣ୍ଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଦେଖିବାକୁ ମିଳିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ଡକ୍ଟର ପ୍ରିୟଙ୍କା ମାର୍ଣ୍ଡି ଏବଂ ରାଜ୍ୟପାଳଙ୍କ ପତ୍ନୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତକାର ସମୟରେ ରାଜ୍ୟର ପ୍ରଗତିଶୀଳ ଶାସନ ବ୍ୟବସ୍ଥା, ଚାଲୁ ରହିଥିବା ଓ ଆଗାମୀ ପ୍ରମୁଖ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ ରୂପାୟନ ସମ୍ପର୍କରେ ଉଭୟ ନେତା ଆଲୋଚନା କରିଥିବା ଜଣାପଡ଼ିଛି। ଯଦିଓ ସରକାରୀ ସ୍ତରରେ ଏହାକୁ ଏକ ସାଧାରଣ ସୌଜନ୍ୟମୂଳକ ସାକ୍ଷାତକାର ବୋଲି କୁହାଯାଉଛି, ତଥାପି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ରାଜନୈତିକ ମହଲରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କିମ୍ବା କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରଶାସନିକ ଫେରବଦଲକୁ ନେଇ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି।