ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଅଫିସିଆଲ୍ ନାମକରଣକୁ ନେଇ ବର୍ଷ ବର୍ଷ ଧରି ଲାଗି ରହିଥିବା ଅନିଶ୍ଚିତତା ଓ ବିବାଦର ସ୍ଥାୟୀ ସମାଧାନ ହେବାକୁ ଯାଉଛି। ରାଜ୍ୟର ଅସଲ ଐତିହାସିକ ଓ ସାଂସ୍କୃତିକ ପରିଚୟକୁ ବଜାୟ ରଖିବା ପାଇଁ ଏବେ ‘ୱେଷ୍ଟ ବେଙ୍ଗଲ’ ବଦଳରେ କେବଳ ‘ପଶ୍ଚିମବଙ୍ଗ’ ନାଁ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏ ନେଇ ରାଜ୍ୟ ବିଜେପି ଅଧ୍ୟକ୍ଷ ସମିକ ଭଟ୍ଟାଚାର୍ଯ୍ୟ ଏକ ବଡ଼ ବୟାନ ଦେଇ ସ୍ପଷ୍ଟ କରିଛନ୍ତି ଯେ, ବାଂଲା କିମ୍ବା ଅନ୍ୟ କୌଣସି ବୈକଳ୍ପିକ ନାଁକୁ ନେଇ ଥିବା ସମସ୍ତ ଭ୍ରମ ଶେଷ ହେବ ଏବଂ ଆଗାମୀ ବିଧାନସଭା ଅଧିବେଶନରେ ଏ ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ କରାଯିବ। ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ସମିକ ଭଟ୍ଟାଚାର୍ଯ୍ୟ କହିଥିଲେ, “ମୋତେ ଆପଣଙ୍କୁ କେତେଥର କହିବାକୁ ପଡିବ ଭାଇ? ଏହି ରାଜ୍ୟର ନାମ ‘ପଶ୍ଚିମବଙ୍ଗ’ ହେବ। ଆପଣ ଆଉ ‘ପଶ୍ଚିମ ବଙ୍ଗଳା’, ‘ବାଂଲା’ କିମ୍ବା କେବଳ ‘ବଙ୍ଗ’ ଭଳି ନାମ ଶୁଣିବେ ନାହିଁ। ରାଜ୍ୟର ଐତିହାସିକ ପରିଚୟକୁ ସଂରକ୍ଷଣ କରିବା ପାଇଁ ଆମ ସରକାର ଆଗାମୀ ବିଧାନସଭା ଅଧିବେଶନରେ ଏକ ବିଲ୍ ଆଗତ କରିବାକୁ ଯାଉଛି।” ସେ ଆହୁରି ମଧ୍ୟ କହିଥିଲେ ଯେ ୧୯୪୭ ମସିହାରେ ବଙ୍ଗ ବିଭାଜନ ସମୟରେ ବଙ୍ଗର ଏକ ଅଂଶ ଅଲଗା ହୋଇ ବାଂଲାଦେଶ ହୋଇଗଲା। ଭାରତ ସହିତ ରହିଥିବା ଅଂଶକୁ ‘ପଶ୍ଚିମ ବଙ୍ଗ’ ଭାବରେ ଚିହ୍ନଟ କରାଯାଇଛି, ତେଣୁ ନାମରେ ‘ପଶ୍ଚିମ’ ଶବ୍ଦ ରହିବା ଐତିହାସିକ ଭାବରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।