ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ କଲେ ଆମିକସ କ୍ୟୁରୀ ଓ ଏଏସ୍‌ଆଇର ଉଚ୍ଚସ୍ତରୀୟ ଟିମ୍

22

ଭୁବନେଶ୍ୱର: ଆମିକସ କ୍ୟୁରୀଙ୍କ ସହ ଏଏସ୍‌ଆଇର ଉଚ୍ଚସ୍ତରୀୟ ଟିମ୍ ଆଜି ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ନାଟମଣ୍ଡପ ବିମ ଫାଟ ଅନୁଧ୍ୟାନ ଶେଷ କରିଛନ୍ତି । ତେବେ ନାଟମଣ୍ଡପ ବିମରେ ୪ ବର୍ଷ ତଳେ ଯେଭଳି ଫାଟ ରହିଥିଲା ଏବେ ବି ସେମିତି ଫାଟ ରହିଛି । ଏନେଇ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ତଥା ଦୁଇଟି ପ୍ରକାର ମରାମତି ପାଇଁ ଏଏସ୍‌ଆଇ ପ୍ରସ୍ତାବ ଦେବା ପରେ ଗୋଟିଏ କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷ ମାର୍ଚ୍ଚ ରୁ ଏପ୍ରିଲ ସୁଦ୍ଧା ମରାମତି କାର୍ଯ୍ୟ ସାରିବା ନେଇ ଲକ୍ଷ ରଖାଯାଇଛି । କାମ ସମୟରେ ମଧ୍ୟ କ୍ରାକ ଟ୍ରାନ୍ସମିଟର ଲାଗି ରହିବ । ଜଗମୋହନରେ ମଧ୍ୟ ଏଏସଆଇ ପକ୍ଷରୁ ଚାଲିଥିବା କାର୍ଯ୍ୟର ଅନୁଧ୍ୟାନ କରାଯାଇଥିଲା । ଏଏସଆଇ ଅତିରିକ୍ତ ଡିଜି ଜାନବି ଶର୍ମା, ଆମିକସ କ୍ୟୁରୀ ଏନ୍‌.କେ.ମହାନ୍ତି, ଚେନ୍ନାଇ ଆଇଆଇଟିର ବରିଷ୍ଠ ବୈଜ୍ଞାନିକ ଡଃ ଅରୁଣ ମେନନ, ଏଏସଆଇ ସଂରକ୍ଷକ, ଶ୍ରୀମନ୍ଦିର ଉନ୍ନୟନ ଓ ନୀତି ପ୍ରଶାସକ ପ୍ରମୁଖଙ୍କୁ ନେଇ ଗଠିତ ଏକ ଉଚ୍ଚସ୍ତରୀୟ ଟିମ୍ ଆଜି ଶ୍ରୀମନ୍ଦିର ଯାଇ ଦୁଇ ଘଣ୍ଟା ଧରି ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟ ଅନୁଧ୍ୟାନ କରିଥିଲେ । ଏଥିସହ ଶ୍ରୀଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି ପାଇଁ ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଉଛି । ଚେନ୍ନାଇ, ବରୋଦା ଏବଂ ଦିଲ୍ଲୀର କେତେକ ବୈଷୟିକ କର୍ମଚାରୀ ଏହି କାର୍ଯ୍ୟରେ ଲାଗି ପଡ଼ିଛନ୍ତି । ତେବେ ନକ୍ସା ପ୍ରସ୍ତୁତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନାଟମଣ୍ଡପର ୪ଗୋଟି ପିଲାର ଏବଂ ବିମ୍ ସମେତ କ୍ୟାପିଟାଲ ବିମ୍‌ଗୁଡ଼ିକର ଦୁର୍ବଳ ସ୍ଥିତି ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି । ପାଣି ଗଳୁଥିବା ନାଟମଣ୍ଡପ ଓ ଜଗମୋହନ ଛାତ ସ୍ଥିତି ଅନୁଧ୍ୟାନ ପାଇଁ ଖଡ଼ଗପୁର ଆଇଆଇଟିକୁ ଦାୟିତ୍ୱ ଦିଆଯାଇଛି । ବୈଷୟିକ କୋର୍ କମିଟି ନିକଟରେ ଖୁବ୍‌ଶୀଘ୍ର ନକ୍ସା ଉପସ୍ଥାପନ କରାଯିବ । ସେମାନଙ୍କ ଅନୁମୋଦନ ପରେ ଆର୍ôଥକ ମଞ୍ଜୁରୀ ପାଇଁ ଏଏସ୍‌ଆଇ ମୁଖ୍ୟ କାର୍ଯ୍ୟାଳୟ ପଠାଯିବ । ଅନ୍ୟପଟେ ଚେନ୍ନଇ ଆଇଆଇଟି ପ୍ରଫେସର ଅରୁଣ କୁମାର ମେନନଙ୍କ କହିବା ଅନୁଯାଇ ନାଟମଣ୍ଡପ ମରାମତି ପୂର୍ବରୁ ଅତ୍ୟାଧୁନିକ ପ୍ରଣାଳୀରେ ଲୋଡ୍ ମିଟର ଲଗାଯାଇ ବିମ୍ ଓ ପିଲରଗୁଡ଼ିକ ଉପରେ ପଡୁଥିବା ଭାର ଆକଳନ କରାଯିବ । ଆବଶ୍ୟକ ପଡ଼ିଲେ କେନ୍ଦ୍ରୀୟ କୋଠାବାଡ଼ି ଗବେଷଣା କେନ୍ଦ୍ରର ସହାୟତା ନିଆଯିବ । ଏଥିସହ ବିମ୍ ଓ ପିଲରଗୁଡ଼ିକରେ ଦେଖା ଦେଇଥିବା ଫାଟ ନୂଆ କି ପୁରୁଣା ଏବଂ ସେଗୁଡ଼ିକ ନାଟମଣ୍ଡପ ଛାତ ଭାର ସମ୍ଭାଳିବାକୁ ଏବେ ସମର୍ଥ କି ନାହିଁ ସେଥିନେଇ ଆକଳନ କରାଯାଇଛି । ଅନ୍ୟପଟେ ନାଟମଣ୍ଡପ ଛାତ ଏବଂ କାନ୍ଥର କେତେକ ପଥର ଭାଙ୍ଗିରୁଜି ଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି । ଏଥି ପାଇଁ ପାଣି ଗଳୁଥିବା ସ୍ଥାନରେ ତରଳ ପଦାର୍ଥ ଦିଆଯାଇ ମରାମତି କରାଯିବ । ଜୟବିଜୟ ଦ୍ୱାର ଏବଂ ଗରୁଡ଼ସ୍ତମ୍ଭ ଛାତରେ ଫାଟ ଥିବା ପୂର୍ବରୁ ଠାବ କରାଯାଇଛି । ନାଟମଣ୍ଡପ ଓ ଜଗମୋହନ ଏବଂ ନାଟମଣ୍ଡପ-ଭୋଗମଣ୍ଡପ ଘର ସଂଯୋଗସ୍ଥଳ ଛାତ ମରାମତି କରାଯିବା ପ୍ରସ୍ତାବ ରହିଛି । ଶ୍ରୀମନ୍ଦିର ନାଟମଣ୍ଡପ ବିମ୍‌ରେ ଫାଟ ଦେଖାଦେବା ପରେ ୨୦୧୮ ମସିହାରୁ କ୍ରାକ୍ ମିଟର ଜରିଆରେ ଏହାର ସ୍ଥିତି ଅନୁଧ୍ୟାନ କରାଯାଉଛି । ଯେହେତୁ ବିମ୍‌ର ଫାଟ ବାହାରକୁ ସ୍ପଷ୍ଟ ଜଣାପଡ଼ୁନି, ସେ ଦୃଷ୍ଟିରୁ ଏହି ଫାଟ ଆକାରରେ କେତେ ବଡ଼ ଓ ଏହାର ତୀବ୍ରତା କେତେ ରହିଛି, କେତେ ପରିମାଣରେ ଏହି ଫାଟ ବଢ଼ୁଛି କ୍ରାକ୍ ମିଟର ଜରିଆରେ ଏହାର ପ୍ରତ୍ୟକ୍ଷ ଅନୁଧ୍ୟାନ କରାଯାଉଛି । ଆଜି ଉଚ୍ଚସ୍ତରୀୟ ଟିମ ଅନୁଧ୍ୟାନ ପରେ ଫାଟ ପୂର୍ବରୁ ଯେଭଳି ଥିଲା ଏବେ ବି ସେମିତି ରହିଥିବା ମତ ପ୍ରକାଶ କରିଥିଲେ । କିନ୍ତୁ ୫ ବର୍ଷ ପରେ ବି ନାଟମଣ୍ଡପ ମରାମତି କାମ ଆରମ୍ଭ ହୋଇନାହିଁ । ନିକଟରେ ଏହାକୁ ନେଇ ଆମିକସ୍ କ୍ୟୁରିଙ୍କ ରିପୋର୍ଟ ଓ ହାଇକୋର୍ଟ ବିରକ୍ତି ପ୍ରକାଶ କରିବା ପରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନାଟମଣ୍ଡପ କାମ ଆରମ୍ଭ କରିବାକୁ ଯାଉଛି । ତେବେ ନାଟମଣ୍ଡପରେ ଭାରା ବନ୍ଧା କାମ ଶେଷ ହୋଇଛି । ଆଜି ନାଟମଣ୍ଡପ ପରେ ଜଗମୋହନରେ ଆରମ୍ଭ ହୋଇଥିବା କାର୍ଯ୍ୟ ମଧ୍ୟ ଅନୁଧ୍ୟାନ କରାଯାଇଛି । ତେବେ ଏହି ମରାମତି କାର୍ଯ୍ୟକୁ ଗୁରୁତର ସହ ନେବାକୁ ଦାବୀ କରିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ । ଆଜି ଅନୁଧ୍ୟାନ ପରେ ଆସନ୍ତା ଏକ ମାସ ମଧ୍ୟରେ ନାଟମଣ୍ଡପ ସ୍ଥିତି ନେଇ ହାଇକୋର୍ଟଙ୍କୁ ରିପୋର୍ଟ ଦିଆଯିବ । ତଥା ଏକ ବର୍ଷ ମଧ୍ୟରେ ନାଟମଣ୍ଡପ ମରାମତି କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

Comments are closed, but trackbacks and pingbacks are open.