ମୌଳିକ ଅଧିକାର ସୁରକ୍ଷା ପାଇଁ ରାଜ୍ୟବ୍ୟାପୀ ଜନଆନ୍ଦୋଳନ କରିବ ଆମ୍ବେଦକର ସେବକ ସଂଘ

14

ଭୁବନେଶ୍ୱର, ୦୩ ଅଗଷ୍ଟ: ଆମ୍ବେଦକର ସେବକ ସଂଘ, ଓଡ଼ିଶା ପକ୍ଷରୁ ଦାଣ୍ଡିମାଳ ସେବକ ସଂଘ କାର୍ଯ୍ୟାଳୟ, ଆଳୁ ଗୋଦାମ ନିକଟ, ଆଇଗିଣିଆ, ଭୁବନେଶ୍ୱରଠାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ମୌଳିକ ସମସ୍ୟା, ସାମ୍ବିଧାନିକ ଅଧିକାରର ସୁରକ୍ଷା, ସମ୍ବିଧାନ ସଚେତନତା ଏବଂ ରାଜ୍ୟ କମିଟି ଗଠନକୁ ନେଇ ଏକ ସଚେତନତା ସଭା ଓ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ସଭାରେ ବାବାସାହେବ ଡ଼. ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ ସହ ବୁଦ୍ଧ ତ୍ରିଶରଣ ଓ ପଞ୍ଚଶୀଳ ପାଠ କରାଯାଇଥିଲା। ପରେ ନୂତନ ରାଜ୍ୟ କମିଟି ଗଠନ ଏବଂ ବିଭିନ୍ନ ସାମ୍ବିଧାନିକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା।

ସଭାରେ ଓଡ଼ିଶାରେ ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ରାଜ୍ୟ କାର୍ଯ୍ୟାଳୟ ସ୍ଥାପନ, ରାଜ୍ୟବ୍ୟାପୀ “ସମ୍ବିଧାନ ବଞ୍ଚାଅ–ସମ୍ବିଧାନ ସୁରକ୍ଷା ଅଭିଯାନ”, ଅସାମ୍ବିଧାନିକ, ସମ୍ବିଧାନ ବିରୋଧୀ, ମନୁବାଦୀ ଓ ଜାତିବାଦୀ ଚିନ୍ତାଧାରା ବିରୋଧରେ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ ଏବଂ ସମ୍ବିଧାନ ସୁରକ୍ଷା ରଥ ମାଧ୍ୟମରେ ରାଜ୍ୟବ୍ୟାପୀ ଜନଜାଗରଣ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା।

ଏହାସହ ମେହେତର (ସଫେଇ) ସମ୍ପ୍ରଦାୟର ଦୀର୍ଘଦିନର ସମସ୍ୟାର ସମାଧାନ, ଜାତି ପ୍ରମାଣପତ୍ର ପ୍ରଦାନ, ବଞ୍ଚିତ ସଫେଇ ପରିବାରଙ୍କୁ ସାମ୍ବିଧାନିକ ଅଧିକାର ଓ ସରକାରୀ ସୁବିଧା ସୁନିଶ୍ଚିତ କରିବା ଦାବି ମଧ୍ୟ ଉଠାଯାଇଥିଲା।

ଅନୁସୂଚିତ ଜାତି ଓ ଜନଜାତି (ଅତ୍ୟାଚାର ନିବାରଣ) ଆଇନ ଅନୁଯାୟୀ ରୁଜୁ ହେଉଥିବା ମାମଲାରେ ଯୁଗ୍ମ ତଦନ୍ତ ନାମରେ ବିଳମ୍ବ ଏବଂ ପୀଡ଼ିତଙ୍କୁ ସୁରକ୍ଷା ନମିଳିବା ପ୍ରସଙ୍ଗରେ ଉଦ୍ବେଗ ପ୍ରକାଶ କରାଯାଇଥିଲା। ତଦନ୍ତ ସମୟରେ ନିୟମାନୁଯାୟୀ ଦାୟିତ୍ୱପ୍ରାପ୍ତ ଅଧିକାରୀଙ୍କ ଉପସ୍ଥିତି ଓ ନ୍ୟାୟସଙ୍ଗତ ପ୍ରକ୍ରିୟା ପାଳନ କରିବାକୁ ଦାବି କରାଯାଇଥିଲା।

ଏହାବ୍ୟତୀତ ଛାତ୍ର ସଂସଦ ନିର୍ବାଚନରେ ସାମ୍ବିଧାନିକ ସଂରକ୍ଷଣ ବ୍ୟବସ୍ଥାର ପାଳନ, ରାଜ୍ୟସ୍ତରୀୟ ଭିଜିଲାନ୍ସ ଓ ମନିଟରିଂ କମିଟିକୁ ସକ୍ରିୟ କରିବା, ଭୂମିହୀନ ଏସ୍‌.ସି./ଏସ୍‌.ଟି. ପରିବାରଙ୍କୁ ଜମି ପ୍ରଦାନ, ଆବାସ ଓ ଅନ୍ୟାନ୍ୟ ସଂରକ୍ଷଣମୂଳକ ବ୍ୟବସ୍ଥାର ସଠିକ୍ କାର୍ଯ୍ୟକାରିତା ଏବଂ ଶିକ୍ଷା ବ୍ୟବସ୍ଥାରେ ସମ୍ବିଧାନ ସମ୍ପର୍କିତ ପାଠ୍ୟକ୍ରମକୁ ଅଧିକ ଗୁରୁତ୍ୱ ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା।

ରାଜ୍ୟ ଅଧ୍ୟକ୍ଷ ମନୋରଞ୍ଜନ ଜେନା କହିଥିଲେ ଯେ, ଏହି ସମସ୍ତ ପ୍ରସ୍ତାବକୁ ଆଧାର କରି ମୌଳିକ ଅଧିକାର ସୁରକ୍ଷା ଏବଂ “ସମ୍ବିଧାନ ବଞ୍ଚାଅ” ସ୍ଲୋଗାନ ସହ ଆମ୍ବେଦକର ସେବକ ସଂଘ ରାଜ୍ୟବ୍ୟାପୀ ଜନଆନ୍ଦୋଳନ ଓ ଜନସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିବ।

ସଭାରେ ଗିରିଶ ଚନ୍ଦ୍ର ଭୋଇ, ପ୍ରକାଶ ଚନ୍ଦ୍ର ନାୟକ, ଦୈତାରୀ ନାୟକ, କ୍ଷୀରୋଦ ଚନ୍ଦ୍ର ନାୟକ, ସୁରେଶ ନାୟକ, ସୁବଳ ନାୟକ, ସୁପ୍ରଭା ମଲ୍ଲିକ, ରବିନାରାୟଣ ନାୟକ, ପିଣ୍ଟୁ ଜେନା, ଅନିତା ନାୟକ, ଲକ୍ଷ୍ମୀପ୍ରିୟା ପାତ୍ର, ପ୍ରମୋଦିନୀ ମଲ୍ଲିକ, ଯଶୋବନ୍ତ ଜେନା, ଆକାଶ ନାୟକ, ସୁକାନ୍ତ ଭୋଇ, ମାୟାଧର ଜେନା, ସୁନିଲ ନାୟକ, ଚରଣ ନାୟକ ଓ ଗଣେଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଦୈତାରୀ ନାୟକ ସଂଯୋଜନା କରିଥିବା ବେଳେ ସାଧାରଣ ସମ୍ପାଦକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed, but trackbacks and pingbacks are open.