ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ

33

କେନ୍ଦ୍ରାପଡା: ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ ବିରୋଧରେ ଏତଲା । ଏତଲା ଦେଇଛନ୍ତି ତାଙ୍କ ବୋହୂ ରୋନାଲି ବେହେରା। ଖାଲି ଶଶୀଭୂଷଣ ନୁହେଁ, ତାଙ୍କ ପତ୍ନୀ ସୁପ୍ରଭା ଏବଂ ପୁଅ ସତ୍ୟପ୍ରକାଶଙ୍କ ବିରୋଧରେ ମଧ୍ୟ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି ରୋନାଲି ।କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ପୁଅ ସତ୍ୟପ୍ରକାଶଙ୍କ ପତ୍ନୀ ରୋନାଲି ଗତ ମାର୍ଚ୍ଚ ୩ ତାରିଖରେ ବାଙ୍କି ଥାନାରେ ଏକ ଯୌତୁକ ନିର୍ଯାତନା ଅଭିଯୋଗ ଦାଏର କରିଛନ୍ତି । ଅଭିଯୋଗରେ ସେ ଉଲ୍ଲେଖ କରିଛନ୍ତି, ଶାଶୂଘର ଲୋକେ ତାଙ୍କୁ ୪୦ ଲକ୍ଷ ଟଙ୍କା ଆଣିବା ପାଇଁ ଦାବି କରୁଛନ୍ତି । ସେ ଟଙ୍କା ନ ଆଣିବାରୁ ମାରପିଟ କରୁଛନ୍ତି । ତାଙ୍କୁ ଟଙ୍କା ପାଇଁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆ ଯାଉଥିବା ସେ ଏତଲାରେ ଲେଖିଛନ୍ତି ।

ଏପରିକି ଶଶି ବେହେରାଙ୍କ ପୁଅଙ୍କର ଜଣେ ବିବାହିତ ମହିଳାଙ୍କ ସହ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ରୋନାଲି । ପୁଅର ସମସ୍ତ କାର୍ଯ୍ୟକଳାପ ସମ୍ପର୍କରେ ଜାଣି ବି ଶ୍ୱଶୂର ଶଶି ବେହେରା ଚୁପ ରହୁଥିବା ରୋନାଲି ଅଭିଯୋଗ କରିଛନ୍ତି । ରୋନାଲିଙ୍କ ଅଭିଯୋଗ କ୍ରମେ ବାଙ୍କି ଥାନା ପୋଲିସ ଶଶିଭୂଷଣଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଦଫା ୪୯୮(କ), ୨୯୪, ୫୦୬, ୩୪ ଆଇପିସି ଏବଂ ଯୌତୁକ ନିରୋଧ ଆଇନ ୧୯୬୧ର ସେକ୍ସନ ୪ ଅନୁସାରେ ମଧ୍ୟ ମାମଲା ରୁଜୁ ହୋଇଛି । ତେବେ ମାର୍ଚ୍ଚ ୩ ତାରିଖରେ ସେ ଅଭିଯୋଗ ଆଣିଥିଲେ ମଧ୍ୟ ପୋଲିସ କୗେଣସି ପଦକ୍ଷେପ ନେଇ ନ ଥିବା ସେ ଅଭିଯୋଗ କରିଛନ୍ତି

ଅନ୍ୟପକ୍ଷେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ଶଶୀଭୂଷଣ । ସେ ଯୌତୁକ ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିବା ସହ ବିବାହ ସମୟରେ କୌଣସି ଉପହାର ମଧ୍ୟ ସେ ଗ୍ରହଣ କରି ନ ଥିବା କହିଛନ୍ତି। ତାଛଡା ବିବାହ ପରେ ତାଙ୍କ ବୋହୂ ଅଧିକାଂଶ ସମୟ ନିଜ ଘରେ ରୁହନ୍ତି ବୋଲି ଶଶୀଭୂଷଣ କହିଛନ୍ତି । ତାଛଡା ଏପରି ଅଭିଯୋଗ ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର । ବାଚସ୍ପତି ପଦ  ନେଇ ତାଙ୍କ ନାଁ ଚର୍ଚ୍ଚାକୁ ଆସିଥିବାବେଳେ ଏହା ବିରୋଧୀଙ୍କର ଏକ ଷଡଯନ୍ତ୍ର ବୋଲି ସେ କହିଛନ୍ତି ।

Comments are closed, but trackbacks and pingbacks are open.