ସରିଲା ସର୍ବଦଳୀୟ ବୈଠକ: ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ

21

ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ I ଏହା ପରେ ପରେ ଆରମ୍ଭ ହେଇଯିବ ପୌର ନିର୍ବାଚନ I ୧୧୦ଟି ପୌରାଞ୍ଚଳରେ ପଡିବ ଭୋଟ । ୧୦୭ ପୌର ପରିଷଦ ଅଧ୍ୟକ୍ଷ ଓ ୩ଟି ମେୟର୍ ପଦ ପାଇଁ ହେବ ନିର୍ବାଚନ । ପୌର ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ (ଇଭିଏମ୍‌)ରେ ଭୋଟ ହେବ। ଏନେଇ ଆସି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ।
ଏହି ବୈଠକରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆଲୋଚନା ହୋଇଛି । ମତଦାନ ସମୟ ନେଇ କେହି କୌଣସି ପ୍ରସ୍ତାବ ଦେଇନାହାନ୍ତି । ତେବେ ଚେୟାରମ୍ୟାନ ବା ମେୟର ପାଇଁ ସିଧାସଳଖ ନିର୍ବାଚନ ହେବାକୁ ସ୍ଥିର ହୋଇଥିବାରୁ ମତଦାନ କେନ୍ଦ୍ରରେ ଦୁଇଟି ଇଭିଏମରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ଇଭିଏମ କାଉନସିଲର, କର୍ପୋରେଟର ଓ ଅନ୍ୟଟି ଚେୟାରମ୍ୟାନ ଓ ମେୟର ପ୍ରାର୍ଥୀଙ୍କ ପାଇଁ ରହିବ । ସୂଚନାଯୋଗ୍ୟ, ଏଥର ଭୋଟରମାନେ ସିଧାସଳଖ ମେୟର ଓ ପୌରାଧ୍ୟକ୍ଷ ବାଛିବେ।
ପୌର ନିର୍ବାଚନରେ ଏଥର ପ୍ରାର୍ଥୀଙ୍କୁ ସତ୍ୟପାଠ ଦାଖଲ କରିବାକୁ ପଡ଼ିବ। ଏହି ସତ୍ୟପାଠରେ ସେମାନେ ନିଜର ସଂପତ୍ତି ତାଲିକା ଦେବେ। ଏହାସହ ଶିକ୍ଷାଗତ ଯୋଗ୍ୟତାର ବିବରଣୀ ଦେବେ। ସେହିଭଳି ଯଦି ସେମାନଙ୍କ ନାଁରେ କୌଣସି ଅପରାଧ ମାମଲା ଥିବ, ତା’ର ମଧ୍ୟ ସୂଚନା ଦେବେ। ଯଦି କେହି ଭୁଲ୍‌ ତଥ୍ୟ ସତ୍ୟପାଠରେ ଉଲ୍ଲେଖ କରିଥିବେ, ତା’ହେଲେ ତାଙ୍କର ପ୍ରାର୍ଥିପତ୍ର ନାକଚ ହୋଇଯିବ I ଏହା ବ୍ୟତୀତ ୧୦୭ଟି ପୌର ପରିଷଦର ଚ୍ୟାୟାରମ୍ୟାନ୍ ଓ ୩ଟି ପୌର ନିଗମର ମେୟର ପଦର ସଂରକ୍ଷଣ ଅଧିସୂଚୀତ କରାଯାଇଛି ବୋଲି ରାଜ୍ୟ ନିର୍ବାଚନ କମିଶନର ସମସ୍ତ ରାଜନୀତିକ ଦଳର ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି।
ଏହି ଆଲୋଚନା ବେଳେ ବିରୋଧୀ ଦଳ ପୌର ପ୍ରକ୍ରିୟା ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଭୋଟର ତାଲିକା ପ୍ରସ୍ତୁତି ସମୟକୁ ନେଇ ବିରୋଧୀଙ୍କ ଅସନ୍ତୋଷ । ସୀମା ପୁନଃ ନିର୍ଦ୍ଧାରଣ ବ୍ୟବସ୍ଥାକୁ ବିରୋଧୀ ଦଳ ବିରୋଧ କରିଛନ୍ତି । ତେବେ ଚୂଡାନ୍ତ ଭୋଟର ତାଲିକା ଆସନ୍ତା ୨୪ ତାରିଖ ସୁଦ୍ଧା ପ୍ରକାଶ ପାଇବ । ୨୮ ତାରିଖରେ ନିର୍ବାଚନ କମିଶନଙ୍କୁ ଚୂଡାନ୍ତ ଭୋଟର ତାଲିକା ହସ୍ତାନ୍ତର କରାଯିବ । ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷରେ ପାଦ ଦେଇଥିବା ଭୋଟରଙ୍କୁ ଚୁଡାନ୍ତ ତାଲିକାରେ ସାମିଲ କରାଯାଇଥିବା କହିଛନ୍ତି ନିର୍ବାଚନ କମିଶନ ।

Leave A Reply

Your email address will not be published.