ସବୁ ମୁସଲମାନ ହିନ୍ଦୁ : ଗୁଲାମ ନବୀ ଆଜାଦ

53

ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ ଧର୍ମଠାରୁ ମଧ୍ୟ ପୁରୁଣା । ସମସ୍ତ ମୁସଲମାନ ପ୍ରଥମେ ହିନ୍ଦୁ ହିଁ ଥିଲେ । ଏହା ପୂର୍ବରୁ ଜେଏନୟୁ ଛାତ୍ର ସଂସଦ ନେତା ଶହଲା ରାସିଦଙ୍କ ଏକ ବୟାନ ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ସେ ଜମ୍ମୁ କାଶ୍ମୀରରେ ହୋଇଥିବା ଉନ୍ନୟନମୂଳକ କାମ ପାଇଁ ମୋଦି ସରକାରଙ୍କର ଭୂୟସୀ ପ୍ରଶଂସା କରିଥିଲେ ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଗୁଲାମଙ୍କର ଏହି ଭିଡିଓ ଜମ୍ମୁ-କଶ୍ମୀରର ଡୋଡା ଜିଲ୍ଲାର । ଆଜାଦ ଅଗଷ୍ଟ ୯ ତାରିଖ ଏଠାରେ ଭାଷଣ ଦେବା ପାଇଁ ଆସିଥିଲେ । ଭାଷଣ ପ୍ରସଙ୍ଗରେ ଆଜାଦ କହିଥିଲେ, ଇସଲାମର ଜନ୍ମ ୧୫୦୦ ବର୍ଷ ପୂର୍ବରୁ ହୋଇଥିଲା । ଭାରତରେ କେହି ବାହାରର ନୁହଁନ୍ତି । ଆମେ ସବୁ ଏହି ଦେଶର । ଭାରତର ମୁସଲମାନ ମୂଳ ରୂପରେ ହିନ୍ଦୁ ହିଁ ଥିଲେ  ଯେଉଁମାନେ ପରେ ଧର୍ମ ପରିବର୍ତ୍ତନ କରିଥିଲେ ।

ଆଜାଦ ଆହୁରି କହିଥିଲେ, କଶ୍ମୀରରେ ୬୦୦ ବର୍ଷ ପୂର୍ବେ କଶ୍ମୀର ପଣ୍ଡିତ ଥିଲେ । କିଛି ଲୋକ ଧର୍ମ ପରିବର୍ତ୍ତନ କରି ମୁସଲମାନ ହୋଇଗଲେ । ଲୋକଙ୍କ ମଧ୍ୟରେ ଭାଇଚାରା, ଶାନ୍ତି ଏବଂ ଏକତା ବଜାୟ ରଖିବା ପାଇଁ ଅନୁରୋଧ କରି ଆଜାଦ କହିଥିଲେ, ଧର୍ମକୁ ରାଜନୀତି ସହ ଯୋଡିଆ ଆଦୌ ଉଚିତ ନୁହେଁ । ଲୋକଙ୍କୁ ଧର୍ମ ନାଁରେ ଭୋଟ ଦେବା ଆଦୌ ଉଚିତ ନୁହେଁ ।

ଗୁଲାମ ରାଜନୀତି ସହ ଧର୍ମକୁ ଯୋଡୁଥିବା ଲୋକଙ୍କ ଉପରେ ଢେର ବର୍ଷିଥିଲେ । ରାଜନୀତିରେ ଯିଏ ଧର୍ମର ସହାରା ନେବ ସେ ଦୁର୍ବଳ ବୋଲି ଜାଣିବ । ସେମାନଙ୍କର ନିଜ ଉପରେ ବିଶ୍ୱାସ ନାହିଁ ବୋଲି ମାନିବାକୁ ପଡିବ । ଯାହାର ନିଜ ଉପରେ ଭରସା ଅଛି ସେ କେବେ ଧର୍ମର ସହାରା  ନେବନି । ଯିଏ ଠିକ ନେତା ସିଏ କହିବ,ମୁଁ ଆଗକୁ କରିବି କ’ଣ ? କେମିତି ଉନ୍ନୟନମୂଳକ କାମ କରିବି ।

ଆଜାଦ ଆହୁରି କହିଥିଲେ, ଆମେ ବାହାରୁ ଆସିନାହୁଁ । ଏହି ମାଟିରେ ଜନ୍ମ ହୋଇଛୁ । ମୁସଲମାନ ମଧ୍ୟ ଏହି ମାଟିରେ ଜନ୍ମ ହୋଇଛନ୍ତି ।  ମୃତ୍ୟୁ ପରେ ଉଭୟଙ୍କ ମାଂସ, ହାଡ  ଏହି ଭାରତମାତାର ଶରୀରରେ ମିଶି ଯାଏ । ତେବେ ଧର୍ମକୁ ନେଇ ଏ ଯୁଦ୍ଧ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

Comments are closed, but trackbacks and pingbacks are open.