ସମନ୍ୱିତ ଯୋଜନାରେ ଧଉଳି ଶାନ୍ତି ସ୍ତୁପ ସମେତ ସମସ୍ତ ଐତିହ୍ୟ ସ୍ଥଳର ବିକାଶ କରାଯିବ – ମୁଖ୍ୟମନ୍ତ୍ରୀ

202

ଭୁବନେଶ୍ୱର : ଆଜି ଧଉଳି ଶାନ୍ତି ସ୍ତୂପର ୫୨ତମ ପ୍ରତିଷ୍ଠା ଦିବସ I ୫୨ ବର୍ଷ ତଳେ ଜାପାନ ସରକାରଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଏହି ଶାନ୍ତିର ସ୍ତୁପ । ସେବେଠାରୁ ଆଜି ପର୍ଯ୍ୟନ୍ତ ଶାନ୍ତି ଆଉ ମୈତ୍ରୀର ପ୍ରତୀକ ସାଜିଛି ଏହି ଧଉଳି ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ବଡ଼ ଘୋଷଣା କରିଛନ୍ତି I ଧଉଳି ଶାନ୍ତି ସ୍ତୁପ ସମେତ ସମସ୍ତ ଐତିହ୍ୟ ସ୍ଥଳର ବିକାଶ କରାଯିବ। ଧଉଳି ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି । କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ଏହି ଧଉଳି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଖ୍ରୀଷ୍ଟପୂର୍ବ ୨୬୧ରେ ଲୋମହର୍ଷଣକାରୀ କଳିଙ୍ଗ ଯୁଦ୍ଧ ପରେ ଏହିଠାରୁ ଶାନ୍ତିକୁ ଜୀବନର ବ୍ରତ କରି ବୌଦ୍ଧ ଧର୍ମକୁ ଗ୍ରହଣ କରିଥିଲେ ସମ୍ରାଟ ଅଶୋକ । ବୌଦ୍ଧ ଧର୍ମ ସମ୍ପର୍କରେ ଯେବେ ଆଲୋଚନା କରାଯାଏ ସେତେବେଳେ ଓଡିଶାର ନା ସବୁଠାରୁ ଆଗରେ ଆସିଥାଏ । ଓଡିଶାରେ ବୌଦ୍ଧ ଧର୍ମର ଯେତେ ପ୍ରଚାର ପ୍ରସାର ହୋଇଥିଲା ଏବଂ ଯେତେ ବୌଦ୍ଧ ବିହାର ଓଡିଶାରେ ଦେଖିବାକୁ ମିଳେ ତାହା ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ଦେଖିବାକୁ ମିଳେ ନାହିଁ । ଖ୍ରୀଷ୍ଟପୂର୍ବ ୬ଷ୍ଠ ଶତାବ୍ଦୀଠାରୁ ଓଡିଶାରେ ବୌଦ୍ଧ ଧର୍ମର ପ୍ରସାର ଘଟିଥିଲା ।

ଧଉଳି ପାଦ ଦେଶରେ ଦୟାନଦୀ କୂଳରେ ଭାରତ ଇତିହାସରେ ଏକ ନିର୍ଣ୍ଣାୟକ ମୋଡ ଆସିଥିଲା । ସମ୍ରାଟ ଅଶୋକ ଦେଶ ବିଦେଶରେ ବୌଦ୍ଧ ଧର୍ମର ପ୍ରଚାର ପ୍ରସାର ପାଇଁ ନିଜ ପୁତ୍ର ମହେନ୍ଦ୍ର ଏବଂ କନ୍ୟା ସଙ୍ଘମିତ୍ରାଙ୍କୁ ସିଂହଳ ଦେଶକୁ ଓଡିଶାରୁ ପଠାଇଥିଲେ ।

ସେହିପରି ଅତୀତର ନୌବାଣିଜ୍ୟ ପରମ୍ପରାରେ ଓଡିଶା ସାଧବ ପୁଅ ମାନେ ସିଦ୍ଧହସ୍ତ ଥିଲେ । ଭାରତର ଅନ୍ୟ କୌଣସି ରାଜ୍ୟର ଲୋକମାନେ ନୌବାଣିଜ୍ୟ ଜାଣି ନଥିବାବେଳେ ଓଡିଶାରୁ ଆରମ୍ଭ ହୋଇଥିଲା ନୌକା ଯାତ୍ରା I ବୌଦ୍ଧ ଧର୍ମର ପ୍ରଚାର ପାଇଁ ବୌଦ୍ଧ ସନ୍ୟାସୀ ମାନେ ଓଡିଶାରୁ ନୌକାରୁ ବିଦେଶକୁ ଯାଉଥିଲେ । ସେଥିପାଇଁ ଓଡିଶାରେ ବୌଦ୍ଧ ଧର୍ମର ବହୁଳ ପ୍ରସାର ଘଟିଥିଲା ।

ସେ ପୁଣି କହିଥିଲେ ଧଉଳି ଗିରିରେ ଆଜି ଯେଉଁ ଶାନ୍ତିସ୍ତୁପ ନିର୍ମାଣ କରାଯାଇଛି ତାହା ସାରା ପୃଥିବୀକୁ ଶାନ୍ତି ଓ ଅହିଂସାର ବାର୍ତ୍ତା ପ୍ରଚାର କରୁଛି । ଲୋକମାନଙ୍କ ମଧ୍ୟରେ ଶାନ୍ତିର ବାର୍ତ୍ତା ପ୍ରସାର ପାଇଁ ସମ୍ରାଟ ଅଶୋକ ଏଠାରେ ଅନେକ ଗୁଡିଏ ସ୍ତୁପ ଏବଂ ଶିଳାସ୍ତମ୍ବ ନିର୍ମାଣ କରିଥିଲେ । ଆଜିର ଏହି ଆଧୁନିକ ଶାନ୍ତିସ୍ତୁପ ଜାପାନ ବୁଦ୍ଧ ସଂଘ ଏବଂ କଳିଙ୍ଗ ନିପନ ବୁଦ୍ଧ ସଂଘ ଦ୍ୱାରା ୭୦ଦଶକରେ ନିର୍ମାଣ କରାଯାଇଥିଲା । ରାଜ୍ୟବାସୀ ଏହାକୁ ନିଜ ସଂସ୍କୃତିର ଏକ ଅଙ୍ଗଭାବେ ମାନି ନେଇଛନ୍ତି । ସମ୍ମିଳିତ ଯୋଜନାରେ ଧଉଳି ଶାନ୍ତି ସ୍ତୁପ ସମେତ ଅନ୍ୟାନ୍ୟ ଐତିହ୍ୟ ସ୍ଥଳୀ ଗୁଡିକର ବିକାଶ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Comments are closed, but trackbacks and pingbacks are open.