ସରକାରୀ ସ୍ଥାନରୁ ହଟୁଛି ଏୟାର ଇଣ୍ଡିଆ ଅଫିସ୍‌

15

ମୁମ୍ବାଇ: ଦେଶର ଏକମାତ୍ର ସରକାରୀ ଏୟାରଲାଇନ୍ସ ଏୟାର ଇଣ୍ଡିଆର ମାଲିକାନା ସ୍ୱତ୍ୱ ଚଳିତବର୍ଷ ଜାନୁଆରୀରେ ଟାଟା ଗ୍ରୁପ୍ ଅକ୍ତିଆରକୁ ଆସିଛି । ପୂର୍ବରୁ ଏହାର ଇଣ୍ଡିଆ ଅଫିସଗୁଡିକ ସରକାରୀ ଅଟ୍ଟାଳିକାରେ କାର୍ଯ୍ୟ କରୁଥିଲା । ବର୍ତ୍ତମାନ ଟାଟା ଗ୍ରୁପ୍ ଏହାର ପରିଚାଳନା ଦାୟିତ୍ୱ ନେଇଥିବାବେଳେ କମ୍ପାନୀ ସରକାରୀ ସ୍ଥାନରୁ ନିଜର ଅଫିସ ହଟାଇବା ପ୍ରକ୍ରିୟା ଆରମ୍ଭ କରିଛି । ଗତବର୍ଷ ଅକ୍ଟୋବରରେ ଏୟାର ଇଣ୍ଡିଆ ମାଲିକାନା ସ୍ୱତ୍ୱ ପାଇଁ ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଥିଲା । ସର୍ବୋଚ୍ଚ ନିଲାମଧାରୀଭାବେ ଏୟାର ଇଣ୍ଡିଆ (ଘରୋଇ) ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ (ଆନ୍ତର୍ଜାତିକ) ମାଲିକାନା ସ୍ୱତ୍ୱ ଟାଟା ଗ୍ରୁପ୍ ହାତକୁ ଯାଇଥିଲା । ଏହି ଦୁଇ ଏୟାରଲାଇନ୍ସ ବ୍ୟତୀତ ବିସ୍ତାରା ଏୟାରଲାଇନ୍ସରେ ଟାଟା ଗ୍ରୁପ୍‌ର ୫୧ ପ୍ରତିଶତ ଓ ଏୟାର ଏସିଆରେ ୮୩.୬୭ ପ୍ରତିଶତ ଅଂଶଧନ ରହିଛି । ବର୍ତ୍ତମାନ ଟାଟା ଗ୍ରୁପ୍ ଏୟାରଲାଇନ୍ସ ବ୍ୟବସାୟ ପାଇଁ ନୂତନ କାର୍ଯ୍ୟାଳୟ ସନ୍ଧାନରେ ରହିଛି । ୨୦୨୩ ମାର୍ଚ୍ଚ ସୁଦ୍ଧା ଦିଲ୍ଲୀ କିମ୍ବା ଏନ୍‌ସିଆର (ନ୍ୟାସନାଲ କ୍ୟାପିଟାଲ ରିଜିଅନ୍‌)ରେ ଏୟାର ଇଣ୍ଡିଆ, ଏୟାର ଇଣ୍ଡିଆ ଏକ୍ସପ୍ରେସ ଏବଂ ଏୟାର ଏସିଆର କର୍ପୋରେଟ୍ କାର୍ଯ୍ୟାଳୟ କାର୍ଯ୍ୟାରମ୍ଭ କରିବ ବୋଲି କୁହାଯାଇଛି । ଏହାକୁ ‘ବାଟିକା ୱାନ୍‌-ଅନ୍‌-ୱାନ୍‌’ କ୍ୟାମ୍ପସ ଭାବେ ନାମିତ କରାଯାଇଛି । ଏୟାର ଇଣ୍ଡିଆର ଅଧିକାଂଶ କର୍ମଚାରୀ ନୂଆଦିଲ୍ଲୀସ୍ଥ ଏୟାରଲାଇନ୍ସ ହାଉସ, ସଫଦରଜଙ୍ଗ କମ୍ପେ୍ଲକ୍ସ, ଜିଏସ୍‌ଡି କମ୍ପେ୍ଲକ୍ସ ଓ ଆଇଜିଆଇ ଟର୍ମିନାଲ ୱାନ୍‌ରେ ବାସ କରୁଛନ୍ତି । ନୂତନ ବିଲ୍ଡିଂ ନିର୍ମାଣ କରାଗଲେ, ଏହି କର୍ମଚାରୀମାନେ ଗୁରୁଗ୍ରାମସ୍ଥିତ କାମଚଳା କାର୍ଯ୍ୟାଳୟକୁ ଯାଇ ପରେ ବାଟିକାକୁ ସ୍ଥାନାନ୍ତର ହେବେ ।

Comments are closed, but trackbacks and pingbacks are open.