ମଧ୍ୟପ୍ରାଚ୍ୟକୁ ସମସ୍ତ ବିମାନ ଉଡାଣ ବନ୍ଦ କଲା ଏୟାର ଇଣ୍ଡିଆ

99

ନୂଆଦିଲ୍ଲୀ : ଇରାନ-ଆମେରିକା ଯୁଦ୍ଧ ସ୍ଥିତିକୁ ନେଇ ଏୟାର ଇଣ୍ଡିଆ ଏହାର ସମସ୍ତ ଉଡ଼ାଣକୁ ବାତିଲ କରିଛି। ଇରାନ ଦୋହାରେ ଥିବା ଆମେରିକୀୟ ବାୟୁସେନା ଘାଟି ଉପରେ ମିସାଇଲ୍ ଆକ୍ରମଣ କରିବାର କିଛି ଘଣ୍ଟା ପରେ, ଏୟାର ଇଣ୍ଡିଆ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଉପସାଗରୀୟ ଅଞ୍ଚଳରେ ଏହାର ସମସ୍ତ ଉଡ଼ାଣ ବାତିଲ କରିଛି। ଏହା ପୂର୍ବରୁ କୋଚିନରୁ କତାରରେ ନିର୍ଦ୍ଧାରିତ ଏକ ଉଡ଼ାଣକୁ ବାତିଲ କରିଥିଲା। ଆଞ୍ଚଳିକ ଉତ୍ତେଜନାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ, ମଧ୍ୟପ୍ରାଚ୍ୟ, ଉତ୍ତର ଆମେରିକାର ପୂର୍ବ ତଟ ଏବଂ ୟୁରୋପର କିଛି ଅଞ୍ଚଳକୁ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ଏୟାର ଇଣ୍ଡିଆ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଆମର ଅନ୍ୟ କୌଣସି ବିମାନ କତାରକୁ ଯିବ ନାହିଁ। ସମ୍ପୂର୍ଣ୍ଣ ପରିସ୍ଥିତି ଉପରେ ନଜର ରଖାଯାଇଛି । ଜଣେ ମୁଖପାତ୍ର କହିଛନ୍ତି, ଯାତ୍ରୀ ଏବଂ ଏୟାରଲାଇନ୍ସର ସମସ୍ତ କ୍ରୁ ମେମ୍ବରଙ୍କ ସୁରକ୍ଷାକୁ ଆମେ ପ୍ରାଥମିକତା ଦେଉଛୁ । ଆମର ଅତିଥି ଏବଂ କ୍ରୁଙ୍କ ସୁରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବୁ ବୋଲି କହିଛନ୍ତି । ମଧ୍ୟପ୍ରାଚ୍ୟରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ୟ ବିମାନ କମ୍ପାନୀ ମଧ୍ୟ ସେମାନଙ୍କର ଉଡ଼ାଣକୁ ବାତିଲ, ଡାଇଭର୍ଟ କିମ୍ବା ସେମାନଙ୍କର ମୂଳ ବିମାନବନ୍ଦରକୁ ଫେରାଇ ଆଣିଛନ୍ତି। ସେହିପରି ଇଣ୍ଡିଗୋ ମଧ୍ୟ ବିମାନ ଉଡାଣ ସେବା ସ୍ଥଗିତ ରଖିଛି । ମଧ୍ୟପ୍ରାଚ୍ୟ ସହର ଯେପରିକି ଦୁବାଇ, ଦୋହା, ଆବୁଧାବି, ଜେଦ୍ଦାହ ଏବଂ ଅନ୍ୟାନ୍ୟ ସହରକୁ ଏବଂ ସେଠାରୁ ବିମାନ ଉଡାଣ ସେବା ବନ୍ଦ ରଖିଛି । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ବିମାନ ଉଡାଣ ସେବା ସ୍ଥଗିତ ରଖାଯାଇଛି । ସୁରକ୍ଷା ସୁନିଶ୍ଚିତ କରିବା ପରେ ଧିରେ ଧିରେ ବିମାନ ଉଡାଣ କରାଯିବ ବୋଲି ଇଣ୍ଡିଗୋ କହିଛି । ସେହିପରି ଦୁବାଇର ଏମିରେଟ୍ସ ମଧ୍ୟ ଆଡଭାଇଜରି ଜାରି କରିଛି । 

Comments are closed, but trackbacks and pingbacks are open.