ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ: ମୋହନ ଚରଣ ମାଝୀ

152

ଭୁବନେଶ୍ୱର:ରାଜ୍ୟରେ ପ୍ରାଥମିକ ଶିକ୍ଷା ବିକାଶ ପାଇଁ ସରକାର ପ୍ରତିବଦ୍ଧ। ଚଳିତ ବଜେଟ୍‌ରେ ପ୍ରାଥମିକ ଶିକ୍ଷା ପାଇଁ ରେକର୍ଡ ୩୧ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ କରାଯାଇଛି। ଶିକ୍ଷା କ୍ଷେତ୍ରରେ ହୋଇଥିବା ପ୍ରାବଧାନ ହେଉଛି ମୋଟ୍ ବଜେଟର ୧୪.୨ ପ୍ରତିଶତ ଏବଂ ଜିଏସ୍‌ଡିପିର ୩.୯ ପ୍ରତିଶତ, ଯାହା ଦେଶର ପ୍ରମୁଖ ରାଜ୍ୟ ମଧ୍ୟରେ ସ୍ଥାନ ପାଇଛି। କେବଳ ଶିକ୍ଷା କ୍ଷେତ୍ରରେ ୧୪ ପ୍ରତିଶତରୁ ଅଧିକ ଖର୍ଚ୍ଚ ହେଉଛି। ଏହା ହେଉଛି ଆମ ସରକାରଙ୍କ ଶିକ୍ଷା ପ୍ରତି ଆନ୍ତରିକତା। ବାଙ୍କୀସ୍ଥିତ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ପାଳନ ଉଦ୍‌ଯାପନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରି ଏହା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଦ୍ୟାଳୟରେ ଏକ ଅଡିଟୋରିଅମ୍ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ଏକ କୋଟି ଟଙ୍କାର ଘୋଷଣା କରିଛନ୍ତି ଏବଂ ବିଦ୍ୟାଳୟର ସମସ୍ତ ଆନୁସଙ୍ଗିକ ନିର୍ମାଣ ପାଇଁ ଯାହା ପାଣ୍ଠି ଆବଶ୍ୟକ, ସେ ସବୁ ମଧ୍ୟ ଦିଆଯିବା ନିମନ୍ତେ ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠର ଏହି ଏକ ଶତାବ୍ଦୀର ଯାତ୍ରା କୌଣସି ସାଧାରଣ ସମୟ ସୀମା ନୁହେଁ, ବରଂ ଏକ ଆଲୋକମୟ ପରିଚୟ। ଏହା କେବଳ ଗୋଟିଏ ବିଦ୍ୟାଳୟ ନୁହେଁ, ବରଂ ଏକ ଆନ୍ଦୋଳନ, ଯାହା ବାଙ୍କୀ ଅଞ୍ଚଳର ସାଧାରଣ ଲୋକଙ୍କୁ ଶିକ୍ଷା କ୍ଷେତ୍ରରେ ଆଗେଇ ନେଇଛି, ସ୍ୱାଭିମାନ ଓ ସ୍ୱୟଂ ସଚେତନତାର ପ୍ରେରଣା ଦେଇଛି। ସ୍ଥାପନା ହେବା ଦିନରୁ ଆଜି ପର୍ଯ୍ୟନ୍ତ, ଏହି ବିଦ୍ୟାଳୟର ଯାତ୍ରା ସହଜ ହୋଇନଥିଲା। ସମୟର ପରିବର୍ତ୍ତନ, ସାମାଜିକ-ଆର୍ôଥକ ସଂକଟ, ଶିକ୍ଷା ପ୍ରଣାଳୀର ରୂପାନ୍ତରଣ ସବୁକିଛିକୁ ଜୀବନ୍ତ ଭାବେ ଏହା ଦେଖିଛି। କିନ୍ତୁ ଗୋଟିଏ ଜିନିଷ କେବେ ବଦଳି ଯାଇନି, ତାହାହିଁ ହେଉଛି, ଏହାର ମୂଲ୍ୟବୋଧ। ଏହି ବିଦ୍ୟାଳୟ କେବଳ ବାଙ୍କୀ ନୁହେଁ, ଏହାର ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ ଦ୍ୱାରା ଜ୍ଞାନର ଆଲୋକ ବିକିରଣ କରି ସମଗ୍ର ଓଡିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ନିଜକୁ ପ୍ରତିପାଦିତ କରିପାରିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିକ୍ଷା ବ୍ୟବସ୍ଥା ଭାରତୀୟ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଶିକ୍ଷାର ଦ୍ୱିତୀୟ ବିକଳ୍ପ ନାହିଁ। କାରଣ, ଶିକ୍ଷା ହିଁ ଏକମାତ୍ର ମାଧ୍ୟମ ଯାହା ଆମକୁ ଅଜ୍ଞାନର ଅନ୍ଧକାରରୁ ଜ୍ଞାନ ଓ ଚେତନା ଆଡ଼କୁ ନେଇଥାଏ। ଆଜିର ପରିବର୍ତ୍ତନଶୀଳ ସମାଜ ସହ ତାଳଦେଇ ଆଗକୁ ବଢିବାକୁ ହେଲେ ନୂତନ ଶିକ୍ଷା ବ୍ୟବସ୍ଥା, ନୂତନ ସୟରବ ସହ ଚାଲିବାକୁ ହେବ। ଏହାକୁ ହୃଦୟଙ୍ଗମ କରି ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ବିସ୍ତୃତ ଆଲୋଚନା ପରେ ନୂତନ ଜାତୀୟ ଶିକ୍ଷାନୀତି, ୨୦୨୦ର ଶୁଭାରମ୍ଭ କରିଥିଲେ। କିନ୍ତୁ, ରାଜନୈତିକ କାରଣରୁ ଓଡ଼ିଶାରେ ଏହାକୁ ଲାଗୁ କରାଯାଇ ନ ଥିଲା। କିନ୍ତୁ, ଆମ ସରକାର ଆସିବା ପରେ ତୁରନ୍ତ ଆମେ ଏହାକୁ ଲାଗୁ କରି ସାରିଛୁ। ଓଡିଶାର ବିଦ୍ୟାର୍ଥୀମାନେ ବି ଦେଶର ଅନ୍ୟ ଛାତ୍ରଛାତ୍ରୀଙ୍କ ପରି ଗୁଣାତ୍ମକ ଶିକ୍ଷା ଲାଭ କରିପାରିବେ। ନୂତନ ଶିକ୍ଷାନୀତି-୨୦୨୦ର ପ୍ରଣୟନ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାର ଦଶା ଓ ଦିଶାକୁ ନୂତନ ଦିଗନ୍ତ ଦେବ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ‘ପିଏମ୍ ଶ୍ରୀ’ ଅଧୀନରେ ରାଜ୍ୟର ୭୬୨ ସ୍କୁଲକୁ ଆଦର୍ଶ ସ୍କୁଲ ଭାବରେ ବିକଶିତ କରାଯିବ। ପ୍ରାଥମିକ ସ୍ତରରେ ଗୁଣାତ୍ମକ ଶିକ୍ଷା ପ୍ରଦାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୨୨୦୦ ଟି ପଞ୍ଚାୟତରେ ପ୍ରାୟ ୧୨ ହଜାର କୋଟି ଟଙ୍କା ବ୍ୟୟରେ ଏହି ସ୍କୁଲ ନିର୍ମାଣ ହେବ। ଆସନ୍ତା ୩ ବର୍ଷ ମଧ୍ୟରେ ୪୪,୪୩୩ ଟି ଶିକ୍ଷକ ପଦବୀ ପୂରଣ କରାଯିବ। ଅର୍ଥାତ୍ ବର୍ଷକୁ ପ୍ରାୟ ୧୫ ହଜାର ପଦବୀ ପୂରଣ କରାଯିବ। ପ୍ରତ୍ୟେକ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଏବଂ ୧୦୦ ବର୍ଷରୁ ଅଧିକ ପୁରୁଣା ସମସ୍ତ ବିଦ୍ୟାଳୟକୁ ସଂରକ୍ଷଣ ଏବଂ ପୁନଃନିର୍ମାଣ କରିବା ଲକ୍ଷ୍ୟ ନେଇ ଐତିହ୍ୟ ବିଦ୍ୟାଳୟ ଯୋଜନା ଲାଗୁ କରାଯାଇଛି।

Comments are closed, but trackbacks and pingbacks are open.