ଏମ୍ସ ଭୁବନେଶ୍ବରକୁ ମିଳିଲା ଭୀଷ୍ମ କ୍ୟୁବ୍ସ: ବିପର୍ଯ୍ୟୟ ସ୍ଥଳରେ ଗୋଟିଏ ସେଟ୍ ଦେବ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା
ଭୁବନେଶ୍ୱର: ପ୍ରଯୁକ୍ତିବିଦ୍ୟା ଓ ମାନବବାଦର ଅଦ୍ଭୁତ ସଂଗମ ତଥା ବିପର୍ଯ୍ୟୟ ସ୍ଥଳରେ ଜୀବନ ରକ୍ଷା ନିମିତ୍ତ ଏକ ଅଭିନବ ଭାରତୀୟ ଉଦ୍ଭାବନ ଭୀଷ୍ମ କ୍ୟୁବ୍ସ। ବିପର୍ଯ୍ୟୟ ସମୟରେ ତ୍ବରିତ ସ୍ବାସ୍ଥ୍ୟସେବା ପ୍ରଦାନ ନିମନ୍ତେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏମ୍ସ ଭୁବନେଶ୍ବରକୁ ତିନି ସେଟ୍ ଭୀଷ୍ମ କ୍ୟୁବ୍ସ ପ୍ରଦାନ କରାଯାଇଛି, ଯାହାକି ରାଜ୍ୟରେ ପ୍ରଥମ। ଓଡ଼ିଶା ତଥା ସମ୍ପୂର୍ଣ୍ଣ ଦେଶରେ ବିପର୍ଯ୍ୟୟ ଏବଂ ଏହା ପରବର୍ତ୍ତୀ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ସୁଦୃଢ଼ କରିବା ଦିଗରେ ଏକ ଉଲ୍ଲେଖନୀୟ ପଦକ୍ଷେପ ସ୍ୱରୂପ, ପ୍ରତିରକ୍ଷା ମନ୍ତ୍ରଣାଳୟର ବୈଷୟିକ ବିଶେଷଜ୍ଞତା ସହିତ ଜାତୀୟ ସୁରକ୍ଷା ପରିଷଦ ଦ୍ୱାରା ବିକଶିତ ଆରୋଗ୍ୟ ମୈତ୍ରୀ ପ୍ରକଳ୍ପ ଅଧୀନରେ ଏକ ଅତ୍ୟାଧୁନିକ ଉଦ୍ଭାବନ ହେଉଛଇ ଭୀଷ୍ମ କ୍ୟୁବ୍ସ। ଏହି ମଡ୍ୟୁଲାର୍, ମୋବାଇଲ୍ ମେଡିକାଲ୍ କିଟ୍ ବିପର୍ଯ୍ୟୟ ସ୍ଥଳରେ ଜରୁରୀକାଳୀନ ଚିକିତ୍ସା ସେବା ପ୍ରଦାନ କରିବାରେ ବୈପ୍ଳବିକ ପରିବର୍ତ୍ତନ ଆଣିବାର ସମ୍ଭାବନା ରଖିଛି। ଏହା କେବଳ ଏକ ଚିକିତ୍ସା କିଟ୍ ନୁହେଁ, ବରଂ ଭାରତରେ ସ୍ୱାସ୍ଥ୍ୟ ପଦକ୍ଷେପର ଏକ ସଂକ୍ଷିପ୍ତ ରୂପ। ଏହି ବ୍ୟବସ୍ଥାର ଗୋଟିଏ ସେଟ୍ ଏକକାଳୀନ ବିପର୍ଯ୍ୟୟ ସ୍ଥଳରେ ପ୍ରାୟ ଦୁଇ ଶହରୁ ଅଧିକ ପୀଡ଼ିତଙ୍କୁ ସେବା ଯୋଗାଇପାରିବ। ଯାହାକି ଉଦ୍ଧାରକାରୀ ଦଳଙ୍କ ଅପେକ୍ଷା ଯଥେଷ୍ଟ ସ୍ବଳ୍ପ ସମୟ ଏବଂ ପରିଶ୍ରମରେ ସମ୍ଭବ ହୋଇପାରିବ। ବିପର୍ଯ୍ୟୟ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ଲାଗୁଥିବା ସମୟ ଅବଧିକୁ ଅତ୍ୟନ୍ତ ସଂକ୍ଷିପ୍ତ କରିବା ସହିତ ଶତାଧିକ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇପାରିବ ଭୀଷ୍ମ କ୍ୟୁବ୍ସ। ଏମ୍ସ ଭୁବନେଶ୍ବରକୁ ଏଥିରୁ ତିନିଟି ସେଟ୍ ପ୍ରଦାନ, ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଜରୁରୀକାଳୀନ ପରିସ୍ଥିତି ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟ ପରିଚାଳନାରେ ଅଧିକ ସଂଗଠିତ କରିପାରିବାନେଇ ମତବ୍ୟକ୍ତ କରିଛନ୍ତି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ। ଉଲ୍ଲେଖଯୋଗ୍ୟଯେ ଅତୀତରେ ବାଲେଶ୍ବରରେ ଘଟିଥିବା ଭୟାବହ ଟ୍ରେନ୍ ଦୁର୍ଘଟଣା ପରବର୍ତ୍ତୀ ସମୟରେ ଏମ୍ସ ଭୁବନେଶ୍ବର ଶବ ପରିଚାଳନା କ୍ଷେତ୍ରରେ ବେଶ୍ ପ୍ରଶଂସା ଅର୍ଜନ କରିଥିଲା। ଭୀଷ୍ମ କ୍ୟୁବ୍ର ଗୋଟିଏ ସେଟ୍ ରେ ୩୩୮ଟି ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀ ରହିଛି, ଯେଉଁଥିରେ ଆୟୁର୍ବେଦିକ ଔଷଧ, ଶଲ୍ୟ ଚିକିତ୍ସା ଉପକରଣ ଏବଂ ପୋର୍ଟେବଲ୍ ଡାଇଗ୍ନୋଷ୍ଟିକ୍ ଡିଭାଇସ୍ ମଧ୍ୟ ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ସ୍ୱତନ୍ତ୍ର ଦଳ ଏମ୍ସ ଭୁବନେଶ୍ୱରରେ ଡାକ୍ତର, ନର୍ସ ଏବଂ ବିପର୍ଯ୍ୟୟ ପ୍ରତିକ୍ରିୟା ଦଳ ସମେତ ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏକ ବ୍ୟାପକ ତାଲିମ ଏବଂ ପ୍ରଦର୍ଶନ ଅଧିବେଶନ ଆୟୋଜିତ କରିଥିଲେ।
Comments are closed, but trackbacks and pingbacks are open.