ଆଇଟି ନିୟମରେ ହେବ ପରିବର୍ତ୍ତନ :୩ ଘଣ୍ଟାରେ ହଟାଇବାକୁ ପଡ଼ିବ ବେଆଇନ ଏଆଇ କଣ୍ଟେଣ୍ଟ

14

ନୂଆଦିଲ୍ଲୀ: ଦେଶର ଆଇଟି ନିୟମକୁ ଅଧିକ କଡ଼ାକଡ଼ି କରିବା ସହିତ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତାବ ଦେଇଛି ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ। ବେଆଇନ ବିଷୟବସ୍ତୁର ପ୍ରଚାର ରୋକିବାକୁ ସରକାର ପ୍ରଣୟନ କରିବେ ନୂଆ ନିୟମ। ନୂଆ ନିୟମ ଆଧାରରେ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକୁ ସରକାର କିମ୍ବା ଅଦାଲତଙ୍କ ନିର୍ଦ୍ଦେଶ ମିଳିବାର ମାତ୍ର ୩ ଘଣ୍ଟା ମଧ୍ୟରେ ବେଆଇନ ଏଆଇ ଦ୍ୱାରା ତିଆରି ହୋଇଥିବା କଣ୍ଟେଣ୍ଟ ହଟାଇବାକୁ ପଡ଼ିବ। ବର୍ତ୍ତମାନ ବେଆଇନ ଏଆଇ କଣ୍ଟେଣ୍ଟ ହଟାଇବା ପାଇଁ ସର୍ବାଧିକ ସମୟସୀମା ୩୬ ଘଣ୍ଟା ରହିଛିଏଥିସହ ପ୍ରସ୍ତାବିତ ନିୟମରେ ଏଆଇ ଦ୍ୱାରା ତିଆରି ହୋଇଥିବା ସମସ୍ତ କଣ୍ଟେଣ୍ଟକୁ ବାଧ୍ୟତାମୂଳକ ଭାବେ ଲେବଲ କରିବା ଓ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ କରିବାର ବ୍ୟବସ୍ଥା ମଧ୍ୟ ରହିଛି। ଏହାର ଉଦ୍ଦେଶ୍ୟ ଡିପ୍‌ଫେକ୍‌, ଏଆଇ ଆଧାରିତ ବିଭ୍ରାନ୍ତକାରୀ ସୂଚନା ଓ ଅନ୍ୟାନ୍ୟ କ୍ଷତିକାରକ ପ୍ଲାଟଫର୍ମକୁ ନିୟନ୍ତ୍ରଣ କରିବା। ପ୍ରସ୍ତାବିତ ନିୟମରେ ଡିପ୍‌ଫେକ୍‌, ଏଆଇ ଦ୍ୱାରା ପରିଚୟ ଚୋରି, ଶିଶୁ ଯୌନ ଶୋଷଣ ସମ୍ବନ୍ଧୀୟ କଣ୍ଟେଣ୍ଟ, ସମ୍ମତି ବିନା ପ୍ରସ୍ତୁତ ଅନ୍ତରଙ୍ଗ ଛବି ଓ ଅନ୍ୟାନ୍ୟ କ୍ଷତିକାରକ ଏଆଇ କଣ୍ଟେଣ୍ଟକୁ ସାମିଲ କରାଯାଇଛି। ଫେସବୁକ୍‌, ଏକ୍ସ ଓ ଅନ୍ୟ ପ୍ଲାଟଫର୍ମଗୁଡ଼ିକୁ ଏଭଳି କଣ୍ଟେଣ୍ଟ ବିରୋଧରେ ତୁରନ୍ତ ପଦକ୍ଷେପ ନେବା ସହ ସ୍ୱୟଂଚାଳିତ ଟୁଲ୍‌ ସମେତ ଉପଯୁକ୍ତ ପ୍ରଯୁକ୍ତିଗତ ବ୍ୟବସ୍ଥା ବ୍ୟବହାର କରି ଏହାର ପ୍ରସାରକୁ ରୋକାଯିବ । ମନ୍ତ୍ରଣାଳୟ କହିଛି ଯେ ଏହି ପଦକ୍ଷେପ ମାଧ୍ୟମରେ ଦେଶରେ ଗୋଟିଏ ଖୋଲା, ସୁରକ୍ଷିତ, ବିଶ୍ୱସନୀୟ ଓ ଦାୟିତ୍ୱବାନ ସାଇବର ପରିବେଶ ସୃଷ୍ଟି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Comments are closed, but trackbacks and pingbacks are open.