ଭୁବନେଶ୍ଵର: ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର, ଓଡିଶା ଦ୍ଵାରା ଏହାର ଭୁବନେଶ୍ଵର ସ୍ଥିତ ମୁଖ୍ୟାଳୟରେ ଏକ କୃତ୍ରିମ ବୁଦ୍ଧିମତ୍ତା ସଚେତନତା କର୍ମଶାଳା ଉଦ୍ଘାଟିତ ହୋଇ ଯାଇଛି। ଏହି କର୍ମଶାଳାରେ ଓଡିଶା ସରକାରଙ୍କର ବିଭିନ୍ନ ବିଭାଗ ଏବଂ ସଂଗଠନରୁ ଶତାଧିକ ଅଧିକାରୀ ଯୋଗ ଦେଇଥିଲେ। କର୍ମଶାଳାକୁ ଓଡିଶା ରାଜ୍ୟ ସରକାରଙ୍କ ଉନ୍ନୟନ କମିଶନର ତଥା ଯୋଜନା ଓ ସଂଯୋଜନ ଏବଂ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଉଦ୍ଘାଟନ କରି କୃତ୍ରିମ ବୁଦ୍ଧିମତ୍ତା ତଥା ଅନ୍ୟ କେତେକ ଟେକ୍ନୋଲୋଜି ରାଜ୍ୟରେ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ପ୍ରକାଶ କରିଥିଲେ। ଏହା ଦ୍ୱାରା ବିଭିନ୍ନ ଜନକଲ୍ୟାଣ ଯୋଜନା କାର୍ଯ୍ୟକାରିତା କିଭଳି ଅଧିକ ତ୍ୱରାନ୍ନିତ ହୋଇପାରିବ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। କୃତ୍ରିମ ବୁଦ୍ଧିମତ୍ତାକୁ ବ୍ୟବହାର କରି ନୋଟିଂ, ଡ୍ରାଫ୍ଟିଙ୍ଗ ଭଳି ଦୈନଦିନ ସରକାରୀ କାର୍ଯ୍ୟକୁ ସହଜରେ କରାଯାଇ ପାରିବ ବୋଲି ସେ ସମସ୍ତ ଅଧିକାରୀମାନଙ୍କୁ ପରାମର୍ଶ ଦେବା ସହିତ ଏଆଇର ଉପଯୋଗ କରି ଶାସନ ପରିଚାଳନା ବ୍ୟବସ୍ଥାକୁ ସୁଦୃଢ କରିବାରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଦିଲ୍ଲୀ ସ୍ଥିତ ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ର ମୁଖ୍ୟାଳୟର ଉପ ମହାନିର୍ଦ୍ଦେଶକ ତଥା ଓଡିଶା ରାଜ୍ୟ ସଂଯୋଜକ ଟିମୋଥୀ ଦଖର କୃତ୍ରିମ ବୁଦ୍ଧିମତ୍ତା ଉପରେ ନିଜର ଅନୁଭୂତିକୁ ବିଶେଷ ଭାବରେ ଉପସ୍ଥାପନ କରିବା ସହିତ ଏହାର ଆଇନଗତ, ଗୋପନୀୟତା, ପାରଦର୍ଶିତା, ସାମାଜିକ, ନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ଓଡିଶା ଏନ୍.ଆଇ.ସି.ର ଉପ ମହାନିର୍ଦ୍ଦେଶକ ତଥା ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ଅଶୋକ କୁମାର ହୋତା ନିଜର ସ୍ଵାଗତ ଭାଷଣରେ କର୍ମଶାଳାର ଆଭିମୁଖ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ଏବଂ ଭବିଷ୍ୟତରେ ଏହିପରି ଅଧିକ କର୍ମଶାଳା ଓଡିଶା ସରକାରଙ୍କର ଅଧିକାରୀମାନଙ୍କ ପାଇଁ କରାଯିବାର ଯୋଜନା ରହିଛି ବୋଲି ପ୍ରକାଶ କରିଥିଲେ। ଅନୁଷ୍ଠାନର ସମସ୍ତ ବୈଜ୍ଞାନିକ, ଜିଲ୍ଲା ସୂଚନା ବିଜ୍ଞାନ ପଦାଧିକାରୀ ତଥା କର୍ମଚାରୀମାନେ ଏଥିରେ ଉତ୍ସାହପୂର୍ବକ ଯୋଗଦାନ କରିଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା କୃତ୍ରିମ ବୁଦ୍ଧିମତ୍ତା ସଂପର୍କିତ ଏକ ପ୍ରଚାର ପୁସ୍ତିକା ଉନ୍ମୋଚିତ ହୋଇଥିଲା। ପରିଶେଷରେ ଏନ୍.ଆଇ.ସି.ରେ ନବୀକରଣ କରାଯାଇଥିବା ପ୍ରଶିକ୍ଷଣ କେନ୍ଦ୍ରକୁ ଅତିଥିମାନେ ଉଦ୍ଘାଟନ କରିଥିଲେ। ଅତିରିକ୍ତ ରାଜ୍ୟ ସୂଚନା ବିଜ୍ଞାନ ଅଧିକାରୀ ଡଃ. ପବିତ୍ରାନନ୍ଦ ପଟ୍ଟନାୟକ ଧନ୍ୟବାଦ ଦେଇଥିବା ବେଳେ ପ୍ରଶିକ୍ଷଣ ବିଭାଗ ମୁଖ୍ୟ ଜୟନ୍ତ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ।
Comments are closed, but trackbacks and pingbacks are open.