କୃଷକମାନେ ଏକତ୍ରିତ ଭାବେ ଉତ୍ପାଦିତ ଫସଲକୁ ବଜାରକୁ ଆଣିଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ: ଡବ୍ଲୁଓଡିସି ଅଧ୍ୟକ୍ଷ

20

ଆମ ଦେଶରେ କୃଷକମାନେ ବଜାରକୁ ଦୃଷ୍ଟିରେ ରଖି ଫସଲ ଉତ୍ପାଦନ କରିବା ଉଚିତ୍ । ସେମାନେ ନିଜର ପଡୋଶୀ ସହର, ରାଜ୍ୟ ଓ ବିଦେଶକୁ ନଜରରେ ରଖି ଫସଲ ଉତ୍ପାଦନ କଲେ ହିଁ କୃଷି କ୍ଷେତ୍ରରେ ଉନ୍ନତି ଘଟିବ ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କର ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀ ।

ଓଡିଶାରେ କୃଷି ଭିତିକ ଉଦ୍ୟୋଗର ସାମଗ୍ରିକ ବିକାଶ ଲକ୍ଷ୍ୟ ନେଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍‌ ଏଗ୍ରିକଲ୍‌ଚରାଲ ସାଇନ୍‌ସେସ୍ (ଆଇଏଏସ୍‌) ପକ୍ଷରୁ ଆୟୋଜିତ “ସୋଆ ଏଗ୍ରି କନ୍‌ଫ୍‌ଲୁଏନ୍ସ ୨୦୨୨”ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ କୃଷକମାନେ ଯେଉଁ ଫସଲ ଉତ୍ପାଦନ କରୁଛନ୍ତି ତାହା ବଜାରରେ ଏକତ୍ରିତ ଭାବେ ବଜାରକୁ ଆଣିଲେ ହିଁ ସେମାନଙ୍କର ଭଲ ରୋଜଗାର ହୋଇପାରିବ ଏବଂ ଆମ ଦେଶର କୃଷି କ୍ଷେତ୍ର ମଧ୍ୟ ଉନ୍ନତ ହେବ । ଏ ଦିଗରେ କୃଷି ଉଦ୍ୟୋଗୀମାନେ ମଧ୍ୟ ସାମିଲ ହେବା ଉଚିତ୍ ବୋଲି ସେ କହିଛନ୍ତି ।

ସେହିପରି ଶିକ୍ଷିତ ଛାତ୍ରଛାତ୍ରୀମାନେ ସରକାରୀ କିମ୍ବା ବେସରକାରୀ ଚାକିରୀ ପ୍ରତି ଅଧିକ ଆକୃଷ୍ଟ ନ ହୋଇ କୃଷି କ୍ଷେତ୍ରରେ ମନୋନିବେଶ କରି ନିଜର କୃଷି ଷ୍ଟାର୍ଟଅଫ୍ କରିବା ନେଇ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ତ୍ରିପାଠୀ । ଏହି ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ କହିଥିଲେ ଯେ ଗବେଷକ ଏବଂ କୃଷି ବିଜ୍ଞାନୀମାନେ କୃଷି କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେବା ସହ ନୂତନ ଜ୍ଞାନକୌଶଳ ପ୍ରୟୋଗ କରି ଚାଷ କାର୍ଯ୍ୟ କଲେ କୃଷି କ୍ଷେତ୍ରରେ ଅଗ୍ରଗତି ହୋଇପାରିବ ।

ସୋଆରେ ଆରମ୍ଭ ହୋଇଥିବା ଏହି ଏଗ୍ରି କନ୍‌ଫ୍ଲୁଏନ୍ସ ଆଗାମୀ ବର୍ଷରେ କିଭଳି ଅଧିକ ଗୁରୁତ୍ୱ ବହନ କରିବ ସେ ନେଇ ଆଶା ବ୍ୟକ୍ତ କରିଥିଲେ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ । ଏହି କାର୍ଯ୍ୟକ୍ରମରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍‌ର ଡିନ୍ ପ୍ରଫେସର ବିଜୟ କୁମାର ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପକୁଳପତି ପ୍ରଫେସର ପି.କେ. ନନ୍ଦ ବକ୍ତବ୍ୟ ରଖିଥିଲେ । ସେହିପରି କୋକନ୍‌ଭେନର୍ ପ୍ରଫେସର ସରୋଜ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ସମାବେଶର ଅନ୍ୟତମ ଆକର୍ଷଣ ଥିଲା କୃଷି ପ୍ରଦର୍ଶନୀ । ପ୍ରଦର୍ଶନୀରେ ୩୦ରୁ ଊର୍ଦ୍ଧ୍ୱ ବିଭିନ୍ନ କୃଷି ଭିତିକ ଅନୁଷ୍ଠାନ ଓ ଜାତୀୟ ସ୍ତରର ଗବେଷଣା ପ୍ରତିଷ୍ଠାନ ମାନେ ଯୋଗ ଦେଇ ସେମାନଙ୍କର ଆଧୁନିକ ଜ୍ଞାନକୌଶଳକୁ ପ୍ରଦର୍ଶିତ କରିଥିଲେ । ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, କୃଷକ ଏବଂ କୃଷି ଉଦ୍ୟୋଗୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟର କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ଶ୍ରୀ ତ୍ରିପାଠୀ ପୁରସ୍କୃତ କରିଥିଲେ ।

ଏହି ତିନି ଦିନ ବ୍ୟାପୀ ଆୟୋଜିତ ହୋଇଥିବା ସମାବେଶରେ ରାଜ୍ୟ ତଥା ଦେଶର ଶତାଧିକ ଅଗ୍ରଣୀ କୃଷକଙ୍କ ସମେତ ଜାତୀୟ ସ୍ତରରେ ସୁଖ୍ୟାତି ପାଇଥିବା ବିଶିଷ୍ଟ ବୈଜ୍ଞାନିକ, ପ୍ରଶାସକ ତଥା ସଫଳ କୃଷି ଉଦ୍ୟୋଗୀମାନେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇଏଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଲାଇଭଲିହୁଡ୍ ଅଲ୍ଟରନେଟିଭ୍ ମିଶନ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମ୍ବିତ ତ୍ରିପାଠୀ ଏବଂ ଆଏଏସ୍‌ର ଓଏସ୍‌ଡି ତଥା ସୋଆର ଆଡିସ୍‌ନାଲ୍ ଡିନ୍ (ରିସର୍ଚ୍ଚ) ପ୍ରଫେସର ପ୍ରିୟବ୍ରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.