ପୁଣି ଗଜପତିରେ ଦାଦନ ଶ୍ରମିକଙ୍କ ଯାତନା: ଶିଶୁ କନ୍ୟାକୁ ହତ୍ୟା ଅଭିଯୋଗ

275

ଭୁବନେଶ୍ବର:  ପୁଣି ଗଜପତି ଜିଲ୍ଲାରେ ଦାଦନ ଶ୍ରମିକଙ୍କୁ ଯାତନା ଖବର ଆସିଛି। ପିତାମାତା ୮ବର୍ଷର ଶିଶୁକନ୍ୟାକୁ ଘରେ ଏକୁଟିଆ ଛାଡି ବେଙ୍ଗାଲୁରୁରେ ଶ୍ରମିକ ଭାବେ ଖଟିବାକୁ ଯାଇଥିବା ବେଳେ କନ୍ୟାକୁ ହତ୍ୟା କରାଯାଇଥିବା ଏକ ଦୁଃଖଦ ଖବର ହସ୍ତଗତ ହୋଇଛି। ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ଥାନା କୂଟିଗୁଡ଼ା ଗାଁର ଇସ୍ମାଏଲ୍ ମାଝୀ ଓ ତାଙ୍କ ସ୍ତ୍ରୀ ଗତ କିଛି ମାସ ଧରି ବାଙ୍ଗାଲୋରରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ଗତକାଲି ସବୁଦିନ ଭଳି ଉଭୟ ଶ୍ରମିକ ଭାବେ କାର୍ଯ୍ୟ କରିବା ପାଇଁ ଘରେ ତାଙ୍କର କନ୍ୟାକୁ ଏକୁଟିଆ ଛାଡ଼ି ଉଭୟ ପତିପତ୍ନୀ ଯାଇଥିଲେ। ଏହାର ସୁଯୋଗରେ ଗତକାଲି ଅପରାହ୍ନ ସମୟରେ ୮ ବର୍ଷର ଝିଅକୁ କେହି ହତ୍ୟା କରି ବନ୍ଦ କୋଠରୀ ଭିତରେ ଟଙ୍ଗାଇ ଦେଇଥିବା ଅଭିଯୋଗ ହୋଇଛି । ପରିବାର ଲୋକେ ଝିଅକୁ ଉଦ୍ଧାର କରି ବାଙ୍ଗାଲୋର ଏକ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର କନ୍ୟାକୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ବାଙ୍ଗାଲୋରର ସ୍ଥାନୀୟ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଘଟଣା ତଦନ୍ତ କରି ଦୋଷୀକୁ କଠୋର ଦଣ୍ଡ ଦେବା ପାଇଁ ଗଜପତି ଜିଲ୍ଲାରେ ରହୁଥିବା ତାଙ୍କର ସମ୍ପର୍କୟ ଓ ଗ୍ରାମବାସୀମାନେ ଦାବି କରିବା ସହ ମୋହନା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ବାଙ୍ଗାଲୋରରେ ଦାଦନ ଭାବେ  ଖଟୁଥିବା ଇସ୍ମାଏଲ ଓ ତାଙ୍କ ପତ୍ନୀଙ୍କ ସହ ମୃତ କନ୍ୟାର ମୃତଦେହକୁ ବାଙ୍ଗାଲୋର ଠାରୁ ଗଜପତିରେ ଥିବା ତାଙ୍କ ଗାଁକୁ ଫେରାଇ ଆଣିବା ପାଇଁ ମୋହନା ବ୍ଲକ ବିଡ଼ିଓ ରାଜୀବ ଦାସଙ୍କୁ  ମଧ୍ୟ ଗ୍ରାମବାସୀମାନେ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏନେଇ ବିଡ଼ିଓ ସେମାନଙ୍କୁ ସାନ୍ତ୍ୱନା ଦେବା ସହ ଜିଲ୍ଲା ପ୍ରଶାସନ ସହଯୋଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେମାନଙ୍କୁ ଜଣାଇଛନ୍ତି।

Comments are closed, but trackbacks and pingbacks are open.