କେନ୍ଦ୍ରମନ୍ତ୍ରୀଙ୍କ ପତ୍ର ପରେ ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର

19

୩୭୪ କୋଟି ଟଙ୍କା ବ୍ୟୟରେ ଅଇଁଠାପାଲିରେ ପ୍ରସ୍ତାବିତ ଫ୍ଲାଏଓଭର ସହ ଏନଏଚ୍-୫୩ରେ ଓଭର ବ୍ରିଜ୍ ପ୍ରକଳ୍ପ ଯାତାୟତକୁ ସୁଗମ କରିବ – ଧର୍ମେନ୍ଦ୍ର ପ୍ରଧାନ

• ଗତ ବର୍ଷ ନଭେମ୍ବର ୨୮ରେ ଏ ନେଇ ପତ୍ର ଜରିଆରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ଦୃଷ୍ଟିଗୋଚର କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
• ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଓ ଏନଏଚ୍- ୫୩ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ ପାଇଁ ଅର୍ଥ ମଞ୍ଜୁର
• ଦେଶର ସଡ଼କପଥ ସମେତ ସମସ୍ତ ଭିତ୍ତିଭୂମିକୁ ମଜଭୂତ୍ କରିବା ‘ମୋଦୀ ଗ୍ୟାରେଣ୍ଟି’ ହୋଇଛି
• ଟ୍ରାଫିକ ସମସ୍ୟା ଦୂର ହେବା ସହ ଲୋକଙ୍କ ଯିବା ଆସିବା ସୁରକ୍ଷିତ ହେବ
• ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଦ୍ରୁତ ଅଭିବୃଦ୍ଧି ହେବ
• ଅର୍ଥ ମଞ୍ଜୁର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଲେ

ନୂଆଦିଲ୍ଲୀ/ଭୁବନେଶ୍ୱର, ମାର୍ଚ୍ଚ ୧୨ – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିବା ପରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସମ୍ବଲପୁର ଜିଲ୍ଲାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରିଥିବା ନେଇ ବିଭାଗୀୟ ମନ୍ତ୍ରୀ ଶ୍ରୀ ନୀତିନ ଗଡକରୀ ସୂଚନା ଦେଇଛନ୍ତି ।

ଇପିସି ମୋଡ୍ ବ୍ୟବହାର କରି ସମ୍ବଲପୁରର ଅଇଁଠାପାଲି ଠାରେ ୩.୫ କିଲୋମିଟର ଦୀର୍ଘ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଏବଂ ସମ୍ବଲପୁର ଜିଲ୍ଲାର ଜାତୀୟ ରାଜପଥ-୫୩ (ପୂର୍ବରୁ ଜାତୀୟ ରାଜପଥ-୬)ରେ ୨ ଲେନ୍ ବିଶିଷ୍ଟ ରୋଡ୍ ଓଭର ବ୍ରୀଜ (ଏଲ୍ଏଚ୍ଏସ୍) ନିର୍ମାଣ ପାଇଁ ୩୭୪.୧୭ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ଶ୍ରୀ ଗଡକରୀ ସୂଚନା ଦେଇଛନ୍ତି । ଏ ନେଇ ଶ୍ରୀ ପ୍ରଧାନ ସମ୍ବଲପୁର ଜିଲ୍ଲାରେ ସଡ଼କ ଭିତ୍ତିଭୂମିକୁ ମଜଭୂତ୍ କରିବା ପାଇଁ ଅର୍ଥ ମଞ୍ଜୁରୀ ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି ଯେ ଦେଶର ସଡ଼କପଥ ସମେତ ସମସ୍ତ ଭିତ୍ତିଭୂମିକୁ ମଜଭୂତ୍ କରିବା ‘ମୋଦୀ ଗ୍ୟାରେଣ୍ଟି’ ହୋଇଛି । ପ୍ରସ୍ତାବିତ ୬ ଲେନ୍ ବିଶିଷ୍ଟ ଫ୍ଲାଏ ଓଭର ଅଇଁଠାପାଲି ଛକରେ ଟ୍ରାଫିକ୍ ସମସ୍ୟାକୁ ଦୂର କରିବା ସହ ଏନଏଚ୍-୫୩ରେ ଓଭର ବ୍ରିଜ୍ ନାଗରିକଙ୍କ ଯାତାୟତକୁ ଆହୁରି ଅଧିକ ସୁଗମ କରିବ । ଲୋକଙ୍କ ଯିବା ଆସିବା ସୁରକ୍ଷିତ ହେବ । ସ୍ଥାନୀୟ ଅଞ୍ଚଳରେ ଶିଳ୍ପ କ୍ଷେତ୍ରର ବିକାଶ ହେବା ସଙ୍ଗେସଙ୍ଗେ ଓଡ଼ିଶାର ସାମାଜିକ ଓ ଆର୍ଥିକ ବିକାଶରେ ଦ୍ରୁତ ଅଭିବୃଦ୍ଧି ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଉଲ୍ଲେଖନୀୟ ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଗତ ବର୍ଷ ନଭେମ୍ବର ୨୮ ତାରିଖରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଥିଲେ ଯେ ଜାତୀୟ ରାଜପଥ-୫୩ ବରାଇପାଲି ଛକ ଓ ଅଇଁଠାପାଲି ଦେଇ ଝାରସୁଗୁଡା, ଦେବଗଡ ଓ ସମ୍ବଲପୁର ସହରକୁ ଯୋଗାଯୋଗ କରୁଛି । ତେବେ ଫ୍ଲାଏ ଓଭରର ବ୍ୟବସ୍ଥା ନ ଥିବାରୁ ଲୋକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ପ୍ରଧାନ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଥିଲେ ।

Comments are closed, but trackbacks and pingbacks are open.