ନିଟ୍‌ ପରୀକ୍ଷା ପାସକଲେ ପଢିବେ ନର୍ସିଂ

46

ନର୍ସିଂ ଶିକ୍ଷାକୁ ସୁଦୃଢ଼ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ଆରମ୍ଭ କରିଛି । ଏଣିକି ନର୍ସିଂ ପଢ଼ିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କୁ ନିଟ୍‌ ପରୀକ୍ଷା ଦେବାକୁ ପଡ଼ିବ । ଏହା ଆସନ୍ତା ଶିକ୍ଷା ବର୍ଷରୁ ଲାଗୁ ହେବ ବୋଲି ଜଣାପଡ଼ିଛି । ଏହାବାଦ ରାଜ୍ୟରେ ଥିବା ନର୍ସିଂ କଲେଜଗୁଡ଼ିକରେ ଖାଲିପଡିଥିବା ପଦବି ପୂରଣ କରିବାକୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ କସରତ ଆରମ୍ଭ କରିଛନ୍ତି ।

ଡାକ୍ତରୀ ପାଠ୍ୟକ୍ରମ ଭଳି ଏଣିକି ବିଏସସି ନର୍ସିଂ ପଢ଼ିବାକୁ ହେଲେ ଜାତୀୟ ସ୍ତରରେ ହେଉଥିବା ନିଟ ପରୀକ୍ଷା ଦେବାକୁ ପଡ଼ିବ । ଆସନ୍ତା ଶିକ୍ଷା ବର୍ଷରୁ ଏହା ଲାଗୁ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଓଡ଼ିଶାରେ ୨୧ଟି ସରକାରୀ ଅଗ୍‌ଜିଲାରୀ ନର୍ସ ଆଣ୍ଡ ମିଡ୍‌ୱାଇଫେରୀ (ଏଏନ୍‌ଟିସି) ଓ ୮ଟି ନର୍ସିଂ କଲେଜ ରହିଛି । ଏହି ୮ କଲେଜରେ ଏସ୍‌ସିବି ନର୍ସିଂ କଲେଜ, ଏମ୍‌କେସିଜି ନର୍ସିଂ କଲେଜ, ଭୀମସାର ନର୍ସିଂ କଲେଜ ମଧ୍ୟ ଅନ୍ତର୍ଭୁକ୍ତ । ୨୦୨୧ରେ ଅନ୍ୟ ୫ଟି ଜେନେରାଲ ନର୍ସ ଆଣ୍ଡ ମିଡ୍‌ୱାଇଫେରୀ (ଜିଏନ୍‌ଏମ୍‌) ସ୍କୁଲକୁ ନର୍ସିଂ କଲେଜରେ ପରିଣତ କରାଯାଇଛି । ସେଗୁଡ଼ିକ ହେଲା ଢ଼େଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର ଓ ସୁନ୍ଦରଗଡ଼ । ରାଜ୍ୟରେ ୮ ନର୍ସିଂ କଲେଜରେ ୭୫୦ ବିଏସ୍‌ସି ନର୍ସିଂ ସିଟ ରହିଛି । ସେହିପରି ୨୧ ଏଏନ୍‌ଟିସିରେ ପ୍ରତବର୍ଷ ୮୪୦ ଛାତ୍ରଛାତ୍ରୀ ନାମଲେଖାନ୍ତି ।

ସେପଟେ ରାଜ୍ୟରେ ଖାଲି ପଡ଼ିଥିବା ନର୍ସିଂ ପଦବି ପୂରଣ ଲାଗି ଉଦ୍ୟମ ଆରମ୍ଭ ହୋଇଛି । ୨୦୨୧-୨୨ ମସିହା ସୁଦ୍ଧା ରାଜ୍ୟରେ ୨୮ ହଜାର ୨୯୫ ମଞ୍ଜୁରିପ୍ରାପ୍ତ ପଦବି ରହିଛି । ସେଥିରୁ ୧୬ହଜାର ୩୦୬ ପଦବି ଖାଲି ପଡ଼ିଥିଲା । ୨୦୨୩ରେ ୭ ହଜାର ୩୮୪ ପଦବି ପୂରଣ ପାଇଁ ପଦକ୍ଷେପ ନିଆଯାଇଥିଲାବେଳେ ଆହୁରି ୮ହଜାର ୯୨୨ ପଦବି ଏବେବି ଖାଲି ରହିଛି । ତେଣୁ ଖୁବ ଶୀଘ୍ର ଏହି ପଦବି ସବୁ ପୂରଣ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପଦକ୍ଷେପ ନେଇଛି ।

ନୂଆ କରି ନିଯୁକ୍ତି ହେବାକୁ ଥିବା ନର୍ସଙ୍କ କ୍ଷେତ୍ରରେ ଚଏସ୍‌ ଲକିଙ୍ଗ୍‌ ବ୍ୟବସ୍ଥା ରଖାଯାଇଛି । ଚୟନ ପରୀକ୍ଷାର ମାର୍କ ଆଧାରରେ ସେମାନେ ନିଜ ଇଚ୍ଛାରେ ହସ୍ପିଟାଲ ଚୟନ କରିପାରିବେ । ଏହାବ୍ୟତୀତ କୋଭିଡ୍‌ ସମୟରେ ଯେଉଁ ନର୍ସମାନେ ଡ୍ୟୁଟି କରିଥିଲେ, ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ୫% ଅତିରିକ୍ତ ମାର୍କ ଦେବାକୁ ନିଷ୍ପତ୍ତି ନେଇଛି ।

Comments are closed, but trackbacks and pingbacks are open.