ପଲିଗ୍ରାଫ୍ ଟେଷ୍ଟରେ ସତ ଓଗାଳିଲା ଅଫ୍‌ତାବ୍‌

31

ନୂଆଦିଲ୍ଲୀ : ଶ୍ରଦ୍ଧା ୱାକର ହତ୍ୟାଘଟଣାରେ ଦିଲ୍ଲୀ ଫରେନସିକ୍ ଟିମ୍ ପକ୍ଷରୁ ଶ୍ରଦ୍ଧାଙ୍କ ପ୍ରେମିକ ତଥା ହତ୍ୟାକାରୀ ଅଫ୍‌ତାବ୍ ଅମିନ ପୁନାୱାଲାଙ୍କର ପଲିଗ୍ରାଫ୍ ଟେଷ୍ଟ କରାଯାଇଥିବାବେଳେ ସେ ସବୁକଥା ମାନିଯାଇଥିବା ଜଣାପଡିଛି । ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଅଫ୍‌ତାବ୍‌ର ନାର୍କୋ ଆନାଲିସିସ୍ ଟେଷ୍ଟ କରିବାକୁ ଦିଲ୍ଲୀର ଏକ ଅଦାଲତ ପୁଲିସକୁ ଅନୁମତି ଦେଇଛନ୍ତି । ପଲିଗ୍ରାଫ୍ ଟେଷ୍ଟ ସମୟରେ ଶ୍ରଦ୍ଧାଙ୍କୁ କିପରି ଓ କେଉଁ ପରିସ୍ଥିତିରେ ହତ୍ୟା କରିଥିଲା ଏବଂ ତାଙ୍କର ମୃତଦେହକୁ ୩୫ ଖଣ୍ଡରେ କାଟି କେଉଁଠାରେ ଫୋପାଡିଥିଲା, ସେ ସମ୍ପର୍କରେ ଅଫ୍‌ତାବ୍ ସବୁକଥା ସ୍ୱୀକାର କରିଛି । ତେବେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବାରୁ ତା’ର କୌଣସି ଅନୁଶୋଚନା ନଥିବା ମଧ୍ୟ ସେ କହିଛି । ଅପରପକ୍ଷରେ ନାର୍କୋ ଟେଷ୍ଟ ପୂର୍ବରୁ ସଂପୃକ୍ତ ଅଭିଯୁକ୍ତକୁ ଇଞ୍ଜକ୍‌ସନ ଜରିଆରେ ସୋଡିୟମ ପେଣ୍ଟୋଥଲ, ସ୍କୋପୋଲାମାଇନ୍ ଏବଂ ସୋଡିୟମ ଆମିଟାଲ୍ ଭଳି ଟ୍ରୁଥ୍ ସେରମ୍ ଦିଆଯାଇ ଅର୍ଦ୍ଧଚେତନ ଅବସ୍ଥାକୁ ଅଣାଯାଇଥାଏ । ଏହା ଏକପ୍ରକାର ନିଶ୍ଚେତକଭାବେ କାର୍ଯ୍ୟ କରିଥାଏ । ଅବଶ୍ୟ ପଲିଗ୍ରାଫ୍ କିମ୍ବା ନାର୍କୋ ଟେଷ୍ଟ ସମୟରେ ଅଭିଯୁକ୍ତ ସ୍ୱୀକାର କରିଥିବା ତଥ୍ୟ ଅଦାଲତରେ ପ୍ରମାଣଭାବେ ଗ୍ରହଣଯୋଗ୍ୟ ହୋଇନଥାଏ । ତେବେ ଏହାକୁ ଆଧାର କରି ଅନ୍ୟ ପ୍ରମାଣ ଯୋଗାଡ କରିବାରେ ଏହି ରିପୋର୍ଟ ପୁଲିସକୁ ସହାୟତା କରିଥାଏ ।
ଅପରପକ୍ଷରେ ଅଫ୍‌ତାବ୍‌ର ନୂଆ ପ୍ରେମିକା ପୁଲିସକୁ ଦେଇଥିବା ବୟାନରେ ଘୋର ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶ୍ରଦ୍ଧାଙ୍କୁ ଜଘନ୍ୟଭାବେ ହତ୍ୟା କରାଯାଇଥିବା କାହାଣୀ ଶୁଣି ସେ ପ୍ରଥମେ ହତବାକ୍ ହୋଇପଡିଥିଲେ । ହତ୍ୟାପରେ ଅଫ୍‌ତାବ୍‌ଙ୍କ ଫ୍ଲାଟ୍‌କୁ ଦୁଇଥର ଯାଇଥିଲେ ସୁଦ୍ଧା ସେ ହତ୍ୟା ସମ୍ପର୍କରେ କୌଣସି ସୁରାକ୍ ପାଇନଥିବା ମଧ୍ୟ କହିଛନ୍ତି । ଅଫ୍‌ତାବ୍‌ଙ୍କ ଏହି ନୂଆ ପ୍ରେମିକା ହେଉଛନ୍ତି ଜଣେ ସାଇକିଆର୍ଟିଷ୍ଟ (ମନୋ ଚିକିତ୍ସକ) । ଏକ ଡେଟିଙ୍ଗ୍ ଆପ୍ ଜରିଆରେ ତାଙ୍କର ଅଫ୍‌ତାବ୍‌ଙ୍କ ସହ ପରିଚୟ ହୋଇଥିଲା । ଉକ୍ତ ଫ୍ଲାଟକୁ ଯାଇଥିବାବେଳେ ସେ କୌଣସି ସମୟରେ ଅଫ୍‌ତାବ୍‌କୁ ବିବ୍ରତ ହେବା ଲକ୍ଷ୍ୟ କରିନଥିଲେ । ଏପରିକି ଶ୍ରଦ୍ଧା ବ୍ୟବହାର କରୁଥିବା ଏକ କାନଫୁଲ ଅଫ୍‌ତାବ୍ ତାଙ୍କୁ ଉପହାର ଦେଇଥିବା ସେ ପୁଲିସ ଆଗରେ ସ୍ୱୀକାର କରିଛନ୍ତି ।

Comments are closed, but trackbacks and pingbacks are open.