ଏଡିଆର୍ ରିପୋର୍ଟ: ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ପଶ୍ଚିମବଙ୍ଗ ସର୍ବାଗ୍ରେ

161

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମ୍ପ୍ରତି ସଂସଦରେ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍ ଆଗତ କରିଛନ୍ତି । ଏହି ବିଲ୍‌ରେ ଦିଆଯାଇଥିବା ପ୍ରସ୍ତାବନା ମଧ୍ୟରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଯେ ଯଦି ଦେଶର ପ୍ରଧାନମନ୍ତ୍ରୀ, କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ମନ୍ତ୍ରୀମାନେ ଫୌଜଦାରୀ ମାମଲାରେ ଗିରଫ ହୁଅନ୍ତି ଏବଂ ୩୦ ଦିନ ପାଇଁ ଜେଲରେ ରହନ୍ତି, ତେବେ ସେମାନଙ୍କୁ ପଦରୁ ବହିଷ୍କାର କରାଯାଇପାରିବ । ଏଭଳି ଏକ ବିଲ୍‌କୁ ଅଧିକାଂଶ ବିରୋଧୀ ଦଳ ବିରୋଧ କରୁଥିବା ବେଳେ ଆଉ କିଛି ବିରୋଧୀ ଦଳ ଏହାକୁ ସମର୍ଥନ କରୁଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଏହି ବିଲ୍‌କୁ ନେଇ ଦେଶବ୍ୟାପୀ ଏବେ ବିବାଦ ଏବଂ ଚର୍ଚ୍ଚା ଜୋର ଧରିଛି । ଏସବୁ ମଧ୍ୟରେ ନିର୍ବାଚନ ସଂସ୍କାର ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ସଂଗଠନ ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆର) ପକ୍ଷରୁ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି । ଏଡିଆର୍ ଦର୍ଶାଇଛି ଯେ, ବର୍ତ୍ତମାନ, ସାରା ଦେଶରେ ୪୫% ବିଧାୟକ ଏବଂ ୪୬% ସାଂସଦଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରହିଛି । ସେହିପରି ଏମାନଙ୍କ ମଧ୍ୟରୁ ହାରାହାରି ୩୦% ସାଂସଦ ଓ ବିଧାୟକଙ୍କ ବିରୋଧରେ ସଂଗୀନରୁ ଅତିସଂଗୀନ ଅପରାଧିକ ମାମଲା ରହିଛି । ନିର୍ବାଚନ ସମୟରେ ଏହି ଦାଗୀ ସାଂସଦ ତଥା ବିଧାୟକମାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ସତ୍ୟପାଠ ଆଧାରରେ ଏଡିଆର୍ ଏହି ରିପୋର୍ଟ ପ୍ରସ୍ତୁତ କରିଛି । ସୁତରାଂ ଅଧିକାଂଶ ସାଂସଦ ଏବଂ ବିଧାୟକ ନିଜ ସତ୍ୟପାଠରେ ନିଜ ବିରୋଧରେ ରୁଜୁ ହୋଇଥିବା ଅପରାଧିକ ତଥ୍ୟ ଲୁଚାଇଥାଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । ଏଡିଆର୍ ରିପୋର୍ଟ ଅନୁସାରେ ମହିଳାଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ପଶ୍ଚିମବଙ୍ଗ ସର୍ବାଗ୍ରେ ରହିଛି । ସେହିପରି ଏହି କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ଦ୍ୱିତୀୟ ସ୍ଥାନରେ ରହିଛି । ଆନ୍ଧ୍ରପଛକୁ ଓଡ଼ିଶା ୩ୟ ସ୍ଥାନରେ ରହିଛି । ମହିଳା ବିରୋଧୀ ଅପରାଧ କ୍ଷେତ୍ରରେ ଓଡ଼ିଶାର ୧୬ ବିଧାୟକ ଅର୍ଥାତ୍ ୧୦.୯% ବିଧାୟକଙ୍କ ବିରୋଧରେ ଅପରାଧିକ ମାମଲା ରହିଛି । ସେହିପରି ଅପରାଧ ଅଭିଯୁକ୍ତ ବିଧାୟକଙ୍କ କ୍ଷେତ୍ରରେ ଆନ୍ଧ୍ରପ୍ରଦେଶ ୧ମ ସ୍ଥାନରେ ଥିବା ବେଳେ ଏହାପଛକୁ କେରଳ, ତେଲେଙ୍ଗାନା, ବିହାର, ମହାରାଷ୍ଟ୍ର, ତାମିଲନାଡୁ ଓ ଓଡ଼ିଶା ଆଦି ରାଜ୍ୟ ରହିଛନ୍ତି ।

Comments are closed, but trackbacks and pingbacks are open.