ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ଆଦିବାସୀ ମେଳା

97

ଭୁବନେଶ୍ୱର: ସ୍ମାର୍ଟସିଟିରେ ରହି ମଧ୍ୟ ଲୋକମାନେ ଅନୁଭବ କରିବେ ଗାଉଁଲି ପରିବେଶ । ଆଦିବାସୀ ମେଳା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳର ଆଦିବାସୀ ନିଜ ଚଳଣୀର ପାରମ୍ପରିକ ଘର ତିଆରିରେ ଲାଗିପଡ଼ିଛନ୍ତି । ଆଜିଠୁ ୟୁନିଟି-୧ ସ୍ଥିତ ଆଦିବାସୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଆଦିବାସୀ ମେଳା : ୨୦୨୬ । ଯାହା ଫେବ୍ରୁଆରୀ ମାସ ୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାକୁ ଉଦ୍‌ଘାଟନ କରିବେ। ଏଥର ମେଳା ସକାଳ ସାଢେ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲାରହିବ। ଦିନକ ପରେ ମେଳାଥିବାରୁ ସମସ୍ତ ପ୍ରସ୍ତୁତି ପ୍ରାୟତ ସରିଆସିଲାଣି। ଚଳିତ ବର୍ଷ ଆଦିବାସୀ ମେଳାରେ ମୋଟ ୯୪ଟି ଷ୍ଟଲ ଖୋଲିବ। ୧୫ ଷ୍ଟଲରେ ବିକ୍ରି ହେବ ଆଦିବାସୀ ହସ୍ତଶିଳ୍ପ, ବାରିପଦାର ସବାଇଘାସ ସାମଗ୍ରୀ ଖୋଜନ୍ତୁ କିମ୍ବା ନବରଙ୍ଗପୁରର ଟେରାକୋଟା ଅବା ରାଇରଙ୍ଗପୁରର ବାଉଁଶ କଳାକୃତି ସବୁକିଛି ମିଳିବ ଗୋଟିଏ ସ୍ଥାନରେ। ଲୋକମାନେ ଆଦିବାସୀ ଗାଁ’ର ମଜା ନେବା ସହିତ କିଣିପାରିବେ ସେମାନଙ୍କ ହାତତିଆରି କଳାକୃତି। ଆଦିବାସୀ କଳା ଓ ହସ୍ତଶିଳ୍ପକୁ ନେଇ ମୋଟ ୧୫ଟି ଷ୍ଟଲ ଖୋଲିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିବେ ଦର୍ଶକ ପ୍ରତିଦିନ ସନ୍ଧ୍ୟାରେ ମଞ୍ଚରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ । ଯେଉଁଠି ବିଭିନ୍ନ ଅଞ୍ଚଳର ଆଦିବାସୀ ଲୋକମାନେ ନିଜର ନୃତ୍ୟ, ଗୀତ, ଭଜନ, ବାଦ୍ୟ ପରିବେଷଣ କରିବେ। ଖାଲି ସେତିକି ନୁହେଁ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ହେବାକୁ ଥିବା ଡ୍ରାମା ସାଜିବ ମୁଖ୍ୟ ଆକର୍ଷଣ। ଯାହାର ମଜା ନେବେ ରାଜଧାନୀବାସୀ ।

Comments are closed, but trackbacks and pingbacks are open.